ନୂଆଦିଲ୍ଲୀ,୧।୬: ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଜୁନ ୫ ରୁ ଜୁନ ୨୧ ପର୍ଯ୍ୟନ୍ତ ସାରା ଦେଶରେ ସ୍ବତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ବିଶ୍ୱ ପରିବେଶ ଦିବସଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ଯୋଗ ଦିବସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୧୭ ଦିନିଆ ଅଭିଯାନରେ କେନ୍ଦ୍ର ସରକାର ନିଜର ସଫଳତାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା, ଜନସମ୍ପର୍କ ବଢ଼ାଇବା ଏବଂ ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ସାମ୍ନାକୁ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ଏହି ସବୁ କାର୍ଯ୍ୟକ୍ରମ ମଧ୍ୟରେ ଏମିତି ଏକ ତାରିଖ ମଧ୍ୟ ରହିଛି, ଯାହା ଭାରତୀୟ ରାଜନୀତିର ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ସେହି ତାରିଖଟି ହେଉଛି ୯ ଜୁନ ୨୦୨୬।
ପ୍ରକୃତରେ, ୯ ଜୁନ ୨୦୨୬ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ରୂପେ ଏଭଳି ଏକ ରେକର୍ଡ କରିବାକୁ ଯାଉଛନ୍ତି, ଯାହା ଏପର୍ଯ୍ୟନ୍ତ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାମରେ ରହିଛି।
ନେହେରୁ ୧୪ ମେ’ ୧୯୫୨ ରେ ପ୍ରଥମ ସାଧାରଣ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ପଦର ଶପଥ ନେଇଥିଲେ ଏବଂ ୨୭ ମେ ୧୯୬୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ଏହି ପଦରେ ରହିଥିଲେ। ଏହିପରି ଭାବରେ, କ୍ରମାଗତ ଭାବେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ୧୨ ବର୍ଷ ଏବଂ ୧୪ ଦିନର ଥିଲା।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, ୧୯୪୭ ରୁ ୧୯୫୨ ପର୍ଯ୍ୟନ୍ତ ଜବାହରଲାଲ ନେହେରୁ ମନୋନୀତ ପ୍ରଧାନମନ୍ତ୍ରୀ ଥିଲେ (ସେତେବେଳେ ସାଧାରଣ ନିର୍ବାଚନ ହୋଇନଥିଲା)।
୯ ଜୁନ ୨୦୨୬ରେ ଜବାହରଲାଲ ନେହେରୁଙ୍କ ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହିବାର ଏହି ମହା-ରେକର୍ଡ ଭାଙ୍ଗିଯିବ। ଆଉ ଏହି ରେକର୍ଡକୁ ଭାଙ୍ଗି ନୂଆ କୀର୍ତ୍ତିମାନ ସ୍ଥାପନ କରିବେ ପିଏମ ମୋଦି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୬ ମେ’ ୨୦୧୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ୩୦ ମେ’ ୨୦୧୯ରେ ଦ୍ୱିତୀୟ ଥର ପାଇଁ ଏବଂ ୯ ଜୁନ ୨୦୨୪ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଫଳସ୍ବରୂପ, ୯ ଜୁନ ୨୦୨୬ରେ, ମୋଦି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ୧୨ ବର୍ଷ ୧୫ ଦିନ ପୂରଣ କରିବେ। ଏହା ସହିତ, ସେ ଗଣତାନ୍ତ୍ରିକ ନିର୍ବାଚନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଭାବରେ ସର୍ବାଧିକ ଦୀର୍ଘ ସମୟ ପାଇଁ ଏକ ନୂତନ ରେକର୍ଡ ସ୍ଥାପନ କରିବେ।