Categories: ଜାତୀୟ

‘ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’

ପାଟନା,୧୫।୯: ବ୍ୟାଙ୍କର ଭୁଲ ଯୋଗୁ ବିହାରର ଖାଗାରିଆ ଜିଲାର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହୋଇଥିଲା ୫.୫ ଲକ୍ଷ ଟଙ୍କା। ଏହି ଟଙ୍କା ଫେରାଇ ଦେବାକୁ ତାଙ୍କ ପାଖକୁ ଅନେକ ଥର ନୋଟିସ ଆସିଥିଲା। ଏହାର ଜବାବରେ ବ୍ୟକ୍ତି ଜଣଙ୍କ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟଙ୍କା ପଠାଇଛନ୍ତି। ମୁଁ ଟଙ୍କା ଖର୍ଚ୍ଚ କରି ଦେଇଛି। ଏବେ ଟଙ୍କା ଫେରାଇ ପାରିବି ନାହିଁ।

ଖାଗାରିଆରେ ଥିବା ଗ୍ରାମୀଣ ବ୍ୟାଙ୍କରୁ ଭୁଲ ବଶତଃ ଭକ୍ତୟାରପୁର ଗ୍ରାମର ବାସୀନ୍ଦା ରଞ୍ଜିତ ଦାସଙ୍କ ଆକାଉଣ୍ଟକୁ ଚାଲି ଯାଇଥିଲା ସାଢ଼େ ୫ ଲକ୍ଷ ଟଙ୍କା। ଫେରାଇବା ପାଇଁ ବ୍ୟାଙ୍କ ପକ୍ଷରୁ ତାଙ୍କୁ ବହୁବାର ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଉକ୍ତ ଟଙ୍କା ଖର୍ଚ୍ଚ କରି ସାରିଥିବାରୁ ଫେରାଇବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ ବୋଲି ରଞ୍ଜିତ କହିଥିଲେ।

ଅଭିଯୁକ୍ତ ରଞ୍ଜିତ ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି, ଚଳିତ ବର୍ଷ ମାର୍ଚ୍ଚରେ ମୋ ଆକାଉଣ୍ଟକୁ ଟଙ୍କା ଆସିଥିଲା। ମୋତେ ଲାଗିଲା ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟେକ ନାଗରିକଙ୍କୁ ଯେଉଁ ୧୫ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ, ତାହାର ପ୍ରଥମ ଇନଣ୍ଟଲମେଣ୍ଟ ମୋତେ ମିଳିଛି। ମୁଁ ସବୁ କିଛି ଖର୍ଚ୍ଚ କରି ଦେଲି। ଏବେ ମୋ ଆକାଉଣ୍ଟରେ ଟଙ୍କା ନାହିଁ।
ତେବେ ବ୍ୟାଙ୍କ ମ୍ୟାନେଜରଙ୍କ ଅଭିଯୋଗ କ୍ରମେ ରଞ୍ଜିତଙ୍କୁ ଗିରଫ କରାଯାଇଥିବା ମାନ୍‌ସି ଥାନା ଅଧିକାରୀ ଦୀପକ କୁମାର କହିଛନ୍ତି।

Share