Categories: ଜାତୀୟ

ସିନ୍ଧେ-ଫଡନବିସ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରାୟ ଦୁଇ ସପ୍ତାହ ଧରି ଚାଲିଥିବା ରାଜନୈତିକ ସଙ୍କଟ ପରେ ମହାରାଷ୍ଟ୍ରକୁ ଗୁରୁବାର ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଏକ ନୂତନ ସରକାର ମିଳିଛି। ରାଜଭବନରେ ରାଜ୍ୟପାଳ ଭାଗବତ ସିଂ କୋଶିୟାରୀଙ୍କ ଦ୍ୱାରା ସିନ୍ଧେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସହ ୨ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନବିସ୍‌ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଉଭୟ ନେତାଙ୍କ ଶପଥ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ମୋଦି ୨ଟି ଟୁଇଟ କରିଛନ୍ତି। ପ୍ରଥମଟିରେ ସେ କହିଛନ୍ତି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଏକନାଥ ସିନ୍ଧେଙ୍କୁ ଅଭିନନ୍ଦନ। ସେ ଜଣେ ତୃଣମୂଳ ସ୍ତରର ନେତା। ସେ ତାଙ୍କ ସହିତ ସମୃଦ୍ଧ ରାଜନେତିକ, ବିଧାନସଭା ଏବଂ ପ୍ରଶାସନିକ ଅଭିଜ୍ଞତା ଆଣିଛନ୍ତି। ମୁଁ ନିଶ୍ଚିତ ଯେ ସେ ମହାରାଷ୍ଟ୍ରକୁ ଅଧିକ ଉଚ୍ଚତାକୁ ନେବା ଦିଗରେ କାର୍ଯ୍ୟ କରିବେ ବୋଲି ମୋଦି କହିଛନ୍ତି। ଅନ୍ୟପଟେ ଦ୍ୱିତୀୟ ଟୁଇଟରେ ମୋଦି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଦେବେନ୍ଦ୍ର ଫଡନବିସ୍‌ଙ୍କୁ ଅଭିନନ୍ଦନ ଜଣାଉଛି। ଫଡନବିସ୍‌ ପ୍ରତ୍ୟେକ ଭାଜପା କର୍ମକର୍ତ୍ତାଙ୍କ ପାଇଁ ଏକ ପ୍ରେରଣା। ତାଙ୍କର ଅଭିଜ୍ଞତା ଏବଂ ପାରଦର୍ଶୀତା ସରକାରଙ୍କ ପାଇଁ ଏକ ସମ୍ପତ୍ତି ହେବ। ମୁଁ ନିଶ୍ଚିତ ଯେ, ସେ ମହାରାଷ୍ଟ୍ରର ବିକାଶ ପଥକୁ ଆହୁରି ସୁଦୃଢ଼ କରିବେ ବୋଲି ମୋଦି କହିଛନ୍ତି।

Share