Categories: ଜାତୀୟ

ପୀଡିତଙ୍କ ଦୁଃଖ ବାଣ୍ଟିବାକୁ ଆଜି ମୋରବି ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୧ ।୧୧: ଗୁଜରାଟର ମୋରବି ସହରରେ ମଚ୍ଛୁ ନଦୀ ଉପରେ ଥିବା କେବଲ ସସପେନସନ ପୋଲ ଭାଙ୍ଗି ଯିବାରୁ ଏବେ ପର୍ଯ୍ୟନ୍ତ ୧୩୪ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ୧୦୦ରୁ ଅଧିକ ଆହତଙ୍କର ଏବେ ଚିକିତ୍ସା ଚାଲିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୋରବି ଗସ୍ତ କରି ପୀଡିତଙ୍କ ଦୁଃଖ ବାଣ୍ଟିବେ ବୋଲି ଜଣାପଡିଛି । ସୋମବାର ମୋଦି କେବଡିୟାରେ ଥିବା ବେଳେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ ଏହାସହ ପୀଡିତଙ୍କର ଚିକିତ୍ସା ଓ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା କହିଥିଲେ । ଏହାସହ ସୋମବାର ସେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଥିଲେ । ମୋଦି କହିଥିଲେ ଗୁଜରାଟ ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରୁଛନ୍ତି, କେନ୍ଦ୍ରବି ରାଜ୍ୟ ସରକାରଙ୍କୁ ଏନେଇ ଯଥା ସମ୍ଭବ ସହାୟତା ଯୋଗାଇ ଦେବ ।
ମୋଦି ସୋମବାର ତାଙ୍କ ଉଦ୍‌ବୋଧନ ଦେବା ସମୟରେ ମୋରବି ଘଟଣାକୁ ନେଇ ଭାବୁକ ହୋଇ ପଡିଥିଲେ । ଏହାସହ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ । ସରକାର ସବୁ ପରିସ୍ଥିତିରେ ଶୋକ ସନ୍ତପ୍ତ ପରିବାର ସହ ଅଛନ୍ତି ବୋଲି ମୋଦି କହିଥିଲେ ।
ତେବେ ମୋଦିଙ୍କ ମୋରବି ଗସ୍ତ ପୂର୍ବରୁ ବିରୋଧି ଅନେକ ପ୍ରଶ୍ନ ଉଠାଇଛନ୍ତି । ସିଭିଲ ହସ୍ପିଟାଲରେ ଯେଉଁଠି ଆହତଙ୍କ ଚିକିତ୍ସା ଚାଲିଛି ସେଠାରେ ରଙ୍ଗ ଛାଡିଯାଇଥିବା ଓ ଟାଇଲ ଉଠିଯାଇଥିବାରୁ ମରାମତି କାମ ହେଉଥିବା ଦେଖାଯାଇଛି । ଏହାକୁ ନେଇ କଂଗ୍ରେସ ଭିନ୍ନ ଭିନ୍ନ ପ୍ରଶ୍ନ କରିଛି । ଏହାସହ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ ଏହାର କିଛି ଫଟୋ ଟୁଇଟ କରି ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।

Share