Categories: ଜାତୀୟ

‘ଅପରେଶନ୍‌ ଦୋସ୍ତ’କୁ ପ୍ରଶଂସା କଲେ ମୋଦି

ଦୂଆଦିଲ୍ଲୀ, ୨୦।୨: ଭୂକମ୍ପରେ ପ୍ରଭାବିତ ତୁର୍କୀରେ ଦୁଇ ସପ୍ତାହ ଧରି ମେଡିକାଲ ରିଲିଫ୍‌ ଅପରେଶନ୍‌ ସାରି ଆର୍ମିର ମେଡିକାଲ ଟିମ୍‌ ସୋମବାର ଭାରତ ଫେରିଛନ୍ତି। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଟୁଇଟର ପୋଷ୍ଟ ଜରିଆରେ ଏହାର ସୂଚନା ଦେଇଛନ୍ତି। ‘ଅପରେଶନ୍‌ ଦୋସ୍ତ’ରେ ସାମିଲ ହୋଇଥିବା ଆର୍ମି ମେଡିକାଲର ୯୯ ଜଣିଆ ଟିମ୍‌ ସୋମବାର ଦିନ ଗାଜିଆବାଦସ୍ଥିତ ହିଣ୍ଡୋନ ଏୟାରବେସ୍‌ରେ ପହଞ୍ଚିଥିଲେ। ଏହି ଟିମ୍‌ ତୁର୍କୀର ଇସ୍କେଣ୍ଡରନ୍‌ ଏବଂ ହତାୟରେ ପାଖାପାଖି ୩୦ଟି ଫିଲ୍ଡ ହସ୍ପିଟାଲ ପରିଚାଳନା କରୁଥିବାବେଳେ ୪,୦୦୦ ରୋଗୀଙ୍କୁ ଟିମ୍‌ ପକ୍ଷରୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ଗତ ୬ ତାରିଖରେ ପ୍ରଳୟଙ୍କରୀ ଭୂକମ୍ପ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ତୁର୍କୀ ଓ ସିରିଆରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ପାଇଁ ଭାରତ ପକ୍ଷରୁ ଅପରେଶନ୍‌ ଦୋସ୍ତ ଆରମ୍ଭ କରାଯାଇଥିଲା। ଭୂମିକମ୍ପରେ ଦୁଇ ଦେଶର ୪୬,୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି।
ତୁର୍କୀରୁ ଫେରିଥିବା ସେନା ମେଡିକାଲ ଟିମ୍‌କୁ ପ୍ରଧାନମମନ୍ତ୍ରୀ ମୋଦି ପ୍ରଂଶସା କରି କହିଛନ୍ତି, ଗତ କିଛି ବର୍ଷ ହେବ ଭାରତ ସମଗ୍ର ବିଶ୍ୱରେ ନିଃସ୍ବାର୍ଥ ଦେଶ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ନେପାଳ ଭୂମିକମ୍ପ ହେଉ ଅବା ମାଲଦ୍ୱୀପ ଏବଂ ଶ୍ରୀଲଙ୍କା ସଙ୍କଟ ପ୍ରତ୍ୟେକ ଦେଶକୁ ସେମାନଙ୍କ ଅସୁବିଧା ସମୟରେ ଭାରତ ପ୍ରଥମେ ସହାୟତାର ହାତ ବଢ଼ାଇଛି। ଏନ୍‌ଡିଆର୍‌ଏଫ୍‌ ଉପରେ ଥିବା ଲୋକଙ୍କ ଭରସା ଆଗ ଅପେକ୍ଷା ବଢ଼ିଛି। ବିଶ୍ୱର ସବୁଠୁ ଭଲ ରିଲିଫ୍‌ ଏବଂ ରେସ୍କ୍ୟୁ ଟିମ୍‌ ହେବା ଲକ୍ଷରେ ଭାରତ ଥିବା ମୋଦି କହିଛନ୍ତି।

Share