Categories: ଜାତୀୟ

ରାଜୁଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ,୨୧।୯: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ୫୮ବର୍ଷ ବୟସରେ ପରଲୋକ ଘଟିଛି। ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୁଇଟରେ ଟୁଇଟ କରିଛନ୍ତି ଯେ, ରାଜୁଙ୍କ ହସ, ହାସ୍ୟ ଏବଂ ସକରାତ୍ମକତା ସହିତ ଆମ ଜୀବନକୁ ଆଲୋକିତ କରିଥାଏ। ଖୁବ୍‌ କମ୍‌ ସମୟରେ ସେ ଆମକୁ ଛାଡ଼ି ଚାଲିଗଲେ। କିନ୍ତୁ ତାଙ୍କର ଚମତ୍କାର ଅଭିନୟ ପାଇଁ ସେ ବର୍ଷ ବର୍ଷ ଧରି ଅଗଣିତ ଲୋକଙ୍କ ହୃଦୟରେ ଜୀବୀତ ରହିବେ। ତାଙ୍କ ମୃତ୍ୟୁ ବହୁତ ଦୁଃଖଦାୟକ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋଦି ସମବେଦନା ଜଣାଇଛନ୍ତି। ସେହିପରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଟୁଇଟ କରି ହାସ୍ୟ ଅଭିନେତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ଏକ ନିଆରା ଅନ୍ଦାଜ ରହିଥିଲା। ନିଜର ଚମତ୍କାର ପ୍ରତିଭା ଦ୍ୱାରା ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ତାଙ୍କ ନିଧନ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ଶାହା ସମବେଦନା ଜଣାଇଛନ୍ତି। ଏଥିସହ ଭଗବାନ ସେମାନଙ୍କୁ ଏହି ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ ବୋଲି ଶାହା କହିଛନ୍ତି।

Share