Categories: ଜାତୀୟ

ପ୍ରୋଫାଇଲ୍‌ ଫଟୋ ‘ତ୍ରିରଙ୍ଗା’ ରଖିଲେ ମୋଦି

ନୂଆଦିଲ୍ଲୀ,୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟଗୁଡିକର ପ୍ରୋଫାଇଲ୍‌ ଫଟୋକୁ ପରିବର୍ତ୍ତନ କରିଛନ୍ତି। ସେ ଫ୍ରୋଫାଇଲ୍‌ ଫଟୋ ଜାତୀୟ ପତାକା ‘ତ୍ରିରଙ୍ଗା’ ରଖିଛନ୍ତି। ଏହାସହ ସମସ୍ତେ ଏହା କରିବାକୁ ସେ ଦେଶର ଲୋକଙ୍କୁ ଅନୁରୋଧ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରି କହିଛନ୍ତି, ଆଜି ଅଗଷ୍ଟ ୨ ଏକ ବିଶେଷ ଦିନ! ଗୋଟିଏ ସମୟରେ ଆମେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛୁ, ଆମ ଦେଶ ତ୍ରିରଙ୍ଗା ଅଭିଯାନ ପାଇଁ ପ୍ରସ୍ତୁତ। ତ୍ରିରଙ୍ଗା ମହୋତ୍ସବ ଏକ ସାମୂହିକ ଆନ୍ଦୋଳନ। ମୁଁ ମୋର ସୋସିଆଲ ମିଡିଆରେ ଡିପି ପରିବର୍ତ୍ତନ କରିଛି ଏବଂ ଆପଣ ସମସ୍ତଙ୍କୁ ସମାନ କାର୍ଯ୍ୟ କରିବାକୁ ଅନୁରୋଧ କରୁଛି।
ସେହିପରି ଜାତୀୟ ପତାକା ଡିଜାଇନ କରିଥିବା ପିଙ୍ଗାଲି ଭେଙ୍କୟାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ଅର୍ଥାତ୍‌ ଅଗଷ୍ଟ ୨ ହେଉଛି ଭେଙ୍କୟାଙ୍କର ଜନ୍ମ ବାର୍ଷିକୀ। ପ୍ରଧାନମନ୍ତ୍ରୀ କହିଛନ୍ତି, ‘ତ୍ରିରଙ୍ଗା’ ପ୍ରସ୍ତୁତ କରିବାରେ ତାଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ। ତାଙ୍କ ନିକଟରେ ଦେଶ ସର୍ବଦା ଋଣୀ ରହିବ। ‘ତ୍ରିରଙ୍ଗା’ରୁ ଶକ୍ତି ଏବଂ ପ୍ରେରଣା ନେଇ ଆସନ୍ତୁ, ଜାତିର ପ୍ରଗତି ପାଇଁ କାର୍ଯ୍ୟ କରିବା।
ଗତ ଜୁଲାଇ ୩୧, ରବିବାର ଦିନ ପ୍ରସାରିତ ‘ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଆଜାଦୀ ଦି କା ଅମୃତ ମହୋତ୍ସବ ଏକ ଜନ ଆନ୍ଦୋଳନରେ ପରିଣତ ହେଉଛି। ଅଗଷ୍ଟ ୨ ରୁ ୧୫ ମଧ୍ୟରେ ସୋସିଆଲ ମିଡିଆ ଆକାଉଣ୍ଟଗୁଡିକର ପ୍ରୋଫାଇଲ ଫଟୋ ‘ତ୍ରିରଙ୍ଗା’ ରଖିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକର ଡିପି ପରିବର୍ତ୍ତନ କରି ‘ତ୍ରିରଙ୍ଗା ’ ରଖିଛନ୍ତି।
ଦେଶର ସ୍ବାଧୀନତାର ୭୫ ବର୍ଷ ପୂରଣ ହେବା ଅବସରରେ ହର ଘର ତିରଙ୍ଗା ଯୋଜନା ଆରମ୍ଭ ହୋଇଛି। ପ୍ରତ୍ୟେକ ନାଗରିକଙ୍କୁ ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଲଗାଇବାକୁ ନିବେଦନ କରାଯାଇଛି।

Share