ନୂଆଦିଲ୍ଲୀ, ୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଶହରା ସମାରୋହ ଉତ୍ସହରେ ଯୋଗ ଦେଇ ଦେଶ ସାମନାରେ ଥିବା ଆହ୍ୱାନର ଏକାଠି ମୁକାବିଲା ପାଇଁ ବାର୍ତ୍ତା ଦେଇଛନ୍ତି । ରବାଣ ପୋଡ଼ି ପରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ସମ୍ୱୋଧନରେ ଦେଶର ତିନି ଶତ୍ରୁଙ୍କ କଥା ଉଲ୍ଲେଖ କରିଛନ୍ତି । ଦେଶର ସମ୍ମାନକୁ ଆଘାତ କରୁଥିବା ଶକ୍ତି, ସମାଜକୁ ବିଭାଜିତ କରୁଥିବା ଲୋକ ଏବଂ ଦେଶର ସଂସ୍କୃତିକୁ ଘୃଣା କରୁଥିବା ମାନସିକତାକୁ ଦେଶର ଶତ୍ରୁ ବୋଲି କହିଛନ୍ତି । ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି, ‘ଆମକୁ ଭାରତ ମାଆର ଶତ୍ରୁମାନଙ୍କୁ ଚିହ୍ନଟ କରିବାକୁ ପଡ଼ିବ, ସେମାନଙ୍କୁ ପରାସ୍ତ କରିବାକୁ ପଡିବ ଏବଂ ରାଷ୍ଟ୍ର ପ୍ରଥମେ ପ୍ରତିଜ୍ଞା ନେଇ ଏକାଠି ହେବାକୁ ପଡିବ ।’ ବିଜୟାଦଶମୀ ଅବସରରେ ରାଜଧାନୀ ଦିଲ୍ଲୀର ଆଇପି ଏକ୍ସଟେନସନରେ ଆୟୋଜିତ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଏହି କଥା କହିଛନ୍ତି ।
ବିଜୟାଦଶମୀରେ ଅବସରରେ ପିଏମ୍ ମୋଦୀ ରାବଣ ଦହନ କରିଛନ୍ତି ଏବଂ ଦେଶବାସୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି ଯେ ବିଜୟାଦଶମୀ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଅଟେ । ଭଗବାନ ରାମଙ୍କ ଆଦର୍ଶ ଏବଂ ସେ ଦେଖାଇଥିବା ମାର୍ଗରେ ଚାଲିବା ପାଇଁ ଏହି ପର୍ବ ଆମକୁ ପ୍ରରେଣା ଦେଉଛି । ଏହା ବ୍ୟତୀତ ସେ ନିଜ ସମ୍ୱୋଧନରେ ରାମ ରାଜ୍ୟ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ରାମ ରାଜ୍ୟର ଅର୍ଥ ହେଉଛି ଏପରି ଏକ ଶାସନ, ଯେଉଁଠି କାହା ସହ କୌଣସି ଭେଦଭାବ ହେଉନଥିବ, ସମସ୍ତଙ୍କୁ ନ୍ୟାୟ ମିଳୁଥିବ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଗକୁ ବଢ଼ିବାର ସମାନ ସୁଯୋଗ ମିଳୁଥିବ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶର ସମ୍ମାନକୁ କ୍ଷତି ପହଞ୍ଚାଉଥିବା ଶକ୍ତି, ସମାଜରେ ଫାଟ ସୃଷ୍ଟିକାରୀ ଲୋକ ଏବଂ ଭାରତୀୟ ସଂସ୍କୃତି ପ୍ରତି ଘୃଣା ପୋଷଣ କରୁଥିବା ଲୋକଙ୍କ ବିରୋଧରେ ଦେଶକୁ ଏକାଠି ସାମ୍ନା କରିବାକୁ ପଡିବ । ସେ ଜାତୀୟ ଏକତା ଏବଂ ସଂସ୍କୃତି ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଜୟାଦଶମୀ ପର୍ବ ଆମକୁ ଖରାପ ବିରୁଦ୍ଧରେ ଠିଆ ହେବା ଏବଂ ସଠିକ୍ ପଥ ଅନୁସରଣ କରିବାର ବାର୍ତ୍ତା ମଧ୍ୟ ଦିଏ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶକୁ ଏହାର ଶକ୍ତି ଏବଂ ସମ୍ବଳ ଉପରେ ଭରସା କରିବା ଦରକାର । କଠିନ ପରିଶ୍ରମ ସହିତ, ଜନଭାଗୀଦାରୀ ମଧ୍ୟ ଜରୁରି । ଯେତେବେଳେ ଦେଶର ଲୋକମାନେ କୌଣସି ଲକ୍ଷ୍ୟ ପାଇଁ ଏକାଠି କାମ କରନ୍ତି, ସେତେବେଳେ ଅସୁବିଧାଗୁଡ଼ିକୁ ଦୂର କରିବା ସହଜ ହୋଇଯାଏ । ଏକ ବିକଶିତ ଭାରତ ଏବଂ ଏକ ଆତ୍ମନିର୍ଭରଶୀଳ ଭାରତର ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି, ସେ ସାମୂହିକ ପ୍ରୟାସର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି ।