ଭାରତ-ଆମେରିକା ସହଭାଗିତାକୁ ଆହୁରି ଆଗକୁ ନେବାକୁ ମୁଁ ପ୍ରତିଶ୍ରୁତିବଦ୍ଧ: ବାଇଡେନ୍‌

ଟୋକିଓ,୨୪।୫: : ଜାପାନରେ ବିଶ୍ୱର ୪ ପ୍ରମୁଖ ରାଷ୍ଟ୍ରଙ୍କୁ ନେଇ କ୍ୱାଡ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ବୈଠକ ହୋଇଛି। କ୍ୱାଡ୍‌ ସମ୍ମିଳନୀର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି। ଏହି ଦ୍ୱିପାକ୍ଷିକ ବୈଠକରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି, ଭାରତ-ଆମେରିକା ସହଭାଗିତାକୁ ଆଗକୁ ନେବାକୁ ସେ ପ୍ରତିଶ୍ରୁତିବଦ୍ଧ।
ମୋଦି କହିଛନ୍ତି, ଭାରତ-ଆମେରିକା ରଣନୀତିକ ଭାଗିଦାରୀ ପ୍ରକୃତରେ ବିଶ୍ୱାସର ସହଭାଗୀତା। ଅନେକ କ୍ଷେତ୍ରରେ ଆମର ସାଧାରଣ ସ୍ବାର୍ଥ ଏହି ବିଶ୍ୱାସର ସମ୍ପର୍କକୁ ଦୃଢ କରିପାରିଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ମଧ୍ୟ ଲଗାତର ବିସ୍ତାର ହେଉଛି। ମୁଁ ନିଶ୍ଚିତ ଯେ ଭାରତ-ଆମେରିକା ନିବେଶ ପ୍ରୋତ୍ସାହନ ଚୁକ୍ତି ପୁନଃ ବିନିଯୋଗ ଦିଗରେ ପ୍ରଗତିଶୀଳ ହେବ। ଆମେ ଟେକ୍ନୋଲୋଜି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରୁଛୁ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମଧ୍ୟ ସମନ୍ବୟ ରକ୍ଷା କରୁଛୁ।
ସେହିପରି ୟୁକ୍ରେନ ଯୁଦ୍ଧ ବିଷୟରେ ଉଲ୍ଲେଖ କରି ଆମେରିକାର ରାଷ୍ଟ୍ରପତି କହିଛନ୍ତି, ୟୁକ୍ରେନ ଉପରେ ରୁଷିଆର ନିର୍ଦ୍ଦୟ ଆକ୍ରମଣ ଏବଂ ସମଗ୍ର ବିଶ୍ୱ ଶୃଙ୍ଖଳା ଉପରେ ଏହାର ପ୍ରଭାବ ଉପରେ ମଧ୍ୟ ଆମେ ଆଲୋଚନା କରିଛୁ। ଏହି ନକାରାତ୍ମକ ପ୍ରଭାବକୁ କିପରି ହ୍ରାସ କରାଯିବ, ଆମେରିକା ଏବଂ ଭାରତ ଏହା ଉପରେ ନଜର ରହିଛନ୍ତି।

Share