Categories: ଜାତୀୟ

ମୋଦି-ଧନକଡଙ୍କୁ ୩୦ମିନିଟ୍‌ ଅପେକ୍ଷା କରାଇଲେ ମୁଖ୍ୟମନ୍ତ୍ରୀ

କୋଲକାତା,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ମୋଦି ବାତ୍ୟା ୟାସ୍‌ ଯୋଗୁ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡ଼ିକର ଏରିଏଲ୍‌ ସର୍ଭେ କରିଥିଲେ। ଏହାପରେ ଲାଇକୁଣ୍ଡା ଏୟାର ବେସ୍‌ରେ ବାତ୍ୟା ସମୀକ୍ଷା ବୈଠକ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଓ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡ ଓ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ। ହେଲେ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପ୍ରାୟ ୩୦ ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିଥିଲା। କାରଣ ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୁଖ୍ୟ ଶାସନ ସଚିବ ପ୍ରାୟ ୩୦ ମିନିଟ୍‌ ବିଳମ୍ବରେ ପହଞ୍ଚିଥିଲେ। ବୈଠକରେ ପହଞ୍ଚିବା ମାତ୍ରେ ମମତା ବାନାର୍ଜୀ ବାତ୍ୟା ସହ ଜଡିତ ସମସ୍ତ କାଗଜପତ୍ର ପ୍ରଦାନ କରିବା ସହ ଅନ୍ୟ ବୈଠକ ଆଳରେ ସଭା ଛାଡ଼ି ପଳାଇଥିଲେ। ଏହି ଘଟଣାକୁ ନେଇ ରାଜ୍ୟପାଳ ଟୁଇଟ କରି ମମତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବିରୋଧୀ ମନୋଭାବ ରାଜ୍ୟ ଓ ଗଣତନ୍ତ୍ର ପାଇଁ ବଡ଼ ବିପଦ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଚରଣ ସାମ୍ବିଧାନିକତା ଏବଂ ଆଇନ ବିରୋଧରେ। କୁହାଯାଉଛି, ପଶ୍ଚିମବଙ୍ଗରେ ହୋଇଥିବା ସମୀକ୍ଷା ବୈଠକରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ମିଳିଥିବା ଆମନ୍ତ୍ରଣ ଯୋଗୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖପ୍ପା ହୋଇଯାଇଥିଲେ। ଏଥିପାଇଁ ସେ ପୂର୍ବରୁ ଏହି ବୈଠକରେ ସାମିଲ ହେବାକୁ ମନା କରିଦେଇଥିଲେ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ପ୍ରଧାନମନ୍ତ୍ରୀ ମୋଦି ବାତ୍ୟା ୟାସ୍‌ ଯୋଗୁ ହୋଇଥିବା କ୍ଷୟକ୍ଷତି ପାଇଁ ଏକ ପ୍ୟାକେଜ ଘୋଷଣା କରିଛନ୍ତି। ମୋଦି ମୋଟ ୧ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେଥିରୁ ଓଡ଼ିଶା ପାଇଁ ୫ଶହ କୋଟି ଟଙ୍କା ଘୋଷଣା କରାଯାଇଥିବା ବେଳେ ବାକି ୫୦୦କୋଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା କରାଯାଇଛି। ଏଥିସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଗୁରୁତରଙ୍କ ୫୦ହଜାର ଟଙ୍କା ଦିଆଯିବ।

 

Share