Categories: ଜାତୀୟ

ଭୋକରେ ରହିବେ ନାହିଁ ଦେଶର କୌଣସି ଗରିବ ଭଉଣୀ-ଭାଇ: ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାସହ ଗୋଟିଏ ଦେଶ ଗୋଟିଏ ରାଶନ କାର୍ଡ କଥା ମଧ୍ୟ କହିଛନ୍ତି ମୋଦି। ଆଜି ଯଦି ସରକାର ଗରିବଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ପାରୁଛନ୍ତି ତେବେ ଏହାର ସମସ୍ତ ଶ୍ରେୟ କୃଷକ ଓ ସଚ୍ଚୋଟ କରଦାତାଙ୍କ ପାଇଁ ଏହା ସମ୍ଭବ ହୋଇ ପାରିଛି ବୋଲି ସେ କହିଛନ୍ତି। ତେଣୁ କୃଷକ, କରଦାତାଙ୍କୁ ସେ ଅନ୍ତରୁରୁ ଧନ୍ୟବାଦ ଜଣାଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆସନ୍ତା ଦୀପାବଳୀ ଓ ଛଟ ପୂଜା ପର୍ଯ୍ୟନ୍ତ ଚାଲିବ ଅର୍ଥାତ୍‌ ନଭେମ୍ବର ଶେଷ ପର୍ଯ୍ୟନ୍ତ ଚାଲିବ। ଏଥିରେ ପ୍ରତ୍ୟେକ ପରିବାରକୁ ପ୍ରତିମାସରେ ୫ କିଲୋଗ୍ରାମ ଗହମ ବା ଚାଉଳ ଓ ୧ କିଲୋ ଡାଲି ମାଗଣାରେ ଯୋଗାଇ ଦିଆଯିବ। ଏଥିପାଇଁ ୯୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ। ପୂର୍ବରୁ ମଧ୍ୟ ଏଥିପାଇଁ ୧.୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ମୋଦି କହିଛନ୍ତି। କରୋନା ମହାମାରୀକୁ ନେଇ ମୋଦି କହିଛନ୍ତି, ଗାଁ ମୁଖିଆ ହୁଅନ୍ତୁ ଅବା ଦେଶର ପ୍ରଧାନମନ୍ତ୍ରୀ ନିୟମର ଉପରେ କେହି ନୁହେଁ। ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ନିୟମର କଡାକଡି ପାଳନ କରାଯାଉଥିଲା। ହେଲେ ଅନ୍‌ଲକ୍‌ ହେବା ପରେ ଲୋକେ ଏକ ପ୍ରକାର ବେପରୁଆ ହୋଇଯାଇଛନ୍ତି। ଉଦାହରଣ ଦେଇ ମୋଦି କହିଥିଲେ ଆପଣମାନେ ଖବରରୁ ଜାଣିବାକୁ ପାଇଥିବେ ଯେ ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ମାସ୍କ ନ ପିନ୍ଧି ସର୍ବସାଧାରଣ ସ୍ଥାନକୁ ଚାଲିଯିବାରୁ ତାଙ୍କ ଉପରେ ପାଖାପାଖି ୧୩ ହଜାର ଟଙ୍କାର ଜରିମାନା ଲାଗିଥିଲା। ତେଣୁ ଆଇନ ବା ନିୟମରେ ଊର୍ଦ୍ଧ୍ୱରେ କେହି ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି ଆମେ ଏବେ ଅନ୍‌ଲକ୍‌ ୨.୦ ଭିତରକୁ ଗତି କରୁଛେ ଏହାସହ ଥଣ୍ଡା, କାଶ, କଫର ଋତୁ ମଧ୍ୟକୁ ବି ଗତି କରୁଛେ। ତେଣୁ ଏହି ସମୟରେ ଆମେ ଆମର ଯତ୍ନ ନେବା ଉଚିତ।

Share