Categories: ଜାତୀୟ

ମିଛୁଆ ଲୋକ କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ଚଲାଉଛନ୍ତି: ମୋଦି

ନୂଆଦିଲ୍ଲୀ,୨୫।୯: ଭାରତୀୟ ଜନ ସଂଗଠନର ଜନକ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭାରତୀୟ ଜନତା ଦଳର କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ମୋଦି କହିଛନ୍ତି ଯେ, କରୋନା ସଙ୍କଟ ସମୟରେ ପାର୍ଟି କର୍ମକର୍ତ୍ତାମାନେ ଲୋକଙ୍କ ସେବା କରିଥିଲେ। କେହି କେହି କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। ସେମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ବୋଲି ସେ କହିଛନ୍ତି। କୃଷି ବିଲ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅତୀତରେ ଆମ ସରକାର ଯୁବକ ଓ କୃଷକଙ୍କ ପାଇଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସରକାର ଲୋକଙ୍କ ଜୀବନରେ ଯେତେ କମ ହସ୍ତକ୍ଷେପ କରିବେ ସେତେ ଭଲ ହେବ। ସ୍ବାଧୀନତାର ବହୁ ବର୍ଷ ପର୍ଯ୍ୟନ୍ତ କୃଷକଙ୍କ ନାମରେ ଅନେକ ସ୍ଲୋଗାନ ଦିଆଯାଇଥିଲା, କିନ୍ତୁ ସେଗୁଡିକ କେବଳ ସ୍ଲୋଗାନରେ ହିଁ ରହିଯାଇଥିଲା। କ୍ଷୁଦ୍ର ଚାଷୀମାନେ କୃଷି ବିଲରୁ ଅଧିକ ଲାଭବାନ ହେବେ। ବର୍ତ୍ତମାନ ଚାଷୀମାନେ ଫସଲକୁ ଯେକୌଣସି ସ୍ଥାନରେ ବିକ୍ରି କରିପାରିବେ। ଯେଉଁଠାରେ ଚାଷୀଙ୍କୁ ଅଧିକ ମୂଲ୍ୟ ମିଳିବ, ସେ ସେଠାରେ ବିକ୍ରୟ କରିପାରିବେ। ଭାଜପା କର୍ମୀ କୃଷକମାନଙ୍କୁ ସହଜ ଭାଷାରେ ଏହାକୁ ବୁଝାଇବାକୁ ପଡ଼ିବ। ଯେଉଁମାନେ ଚାଷୀଙ୍କୁ ମିଛ କହୁଛନ୍ତି, ସେମାନେ କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ଚଲାଉଛନ୍ତି। ଏହି ଲୋକମାନେ ମିଥ୍ୟା ପ୍ରଚାର କରି ଚାଷୀଙ୍କୁ ପ୍ରତାରଣା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share