ନୂଆଦିଲ୍ଲୀ,୫।୮: ମଧ୍ୟପ୍ରଦେଶର ଦତିଆ ଏବଂ ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ କଡ଼ା ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ନେଇ ଦଳ ଭିତରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ମୋର୍ଚ୍ଚା ସମ୍ଭାଳିଛନ୍ତି। ସେ ଗୋଟିଏ ଦିନରେ କ୍ରମାଗତ ଭାବେ ଅନେକ ବୈଠକ କରିଛନ୍ତି।
ପ୍ରଧାନମନ୍ତ୍ରୀ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଏହାଛଡ଼ା ବାଙ୍କିପୁରରୁ କ୍ରମାଗତ ପାଞ୍ଚ ଥର ବିଧାୟକ ରହିଥିବା ଏବଂ ବର୍ତ୍ତମାନର ଭାଜପା ସଭାପତି ନିତିନ ନବୀନଙ୍କ ସହ ମଧ୍ୟ ସେ କଥା ହୋଇଛନ୍ତି।
ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ ପରେ ପ୍ରଧାନମନ୍ତ୍ରୀ ଏହି ସବୁ ବୈଠକ କରିଥିଲେ। ଏହି ସମୟରେ ସରକାରଙ୍କ ପ୍ରତିନିଧିମାନେ ପୂର୍ବତନ ୟୁପିଏ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ରୋଜଗାର ସୃଷ୍ଟି ଏବଂ ଆର୍ଥିକ ବିକାଶରେ ଆସିଥିବା ଦ୍ରୁତ ଅଗ୍ରଗତି ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି କ୍ରୀଡ଼ା କ୍ଷେତ୍ରରେ ଭାରତର ପରିବର୍ତ୍ତନଶୀଳ ଯାତ୍ରାର ମଧ୍ୟ ଉଲ୍ଲେଖ କରାଯାଇଥିଲା।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ। ତେବେ ଏନଡିଏ ସାଂସଦମାନଙ୍କ ଏହି ସାପ୍ତାହିକ ବୈଠକରେ ପ୍ରଧାନମନ୍ତ୍ରୀ କୌଣସି ସମ୍ବୋଧନ କରିନଥିଲେ।