ଜାପାନର ପ୍ରମୁଖ ବ୍ୟବସାୟୀଙ୍କୁ ଭେଟିଲେ ମୋଦି

ଟୋକିଓ,୨୩।୫: କ୍ୱାଡ୍‌ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ ଯାଇଛନ୍ତି। ଦୁଇ ଦିନିଆ ଜାପାନ ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଜାପାନର ପ୍ରମୁଖ ବ୍ୟବସାୟୀଙ୍କୁ ଭେଟିଛନ୍ତି।
ଜାପାନର ବ୍ୟବସାୟୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏକ ଟୁଇଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଟୋକିଓରେ ଏନ୍‌ଇସି ନିଗମର ଚେୟାରମ୍ୟାନ ଡକ୍ଟର ନୋବୁହୁରୋ ଏଣ୍ଡୋଙ୍କୁ ଭେଟିଛନ୍ତି। ପାରସ୍ପରିକ କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ଭାରତର ଟେଲିକମ କ୍ଷେତ୍ରରେ ଏନ୍‌ଇସିର ଭୂମିକାକୁ ପ୍ରଶଂସା କରିଥିଲେ ଏବଂ ଭାରତରେ ନୂତନ ପ୍ରଯୁକ୍ତିବିଦ୍ୟାରେ ସୁଯୋଗ ବିଷୟରେ ଆଲୋଚନା କରିଥିଲେ। ଭାରତରେ ବ୍ୟବସାୟ କରିବାର ରାସ୍ତାକୁ ଅଧିକ ସୁଗମ କରିବା ପାଇଁ ମୋଦି ଏବଂ ଏନଇସି ମୁଖ୍ୟ ଅନେକ ସଂସ୍କାର ଉପରେ ଆଲୋଚନା କରିଥିଲେ।
ଜାପାନର ସର୍ବବୃହତ ଟେକ୍ସଟାଇଲ ବ୍ରାଣ୍ଡ ୟୁନିକ୍ଲୋର ସିଇଓ ତଦାସି ୟାନାଇଙ୍କ ସାକ୍ଷାତ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟୁଇଟ କରାଯାଇଛି। ଏହି ସାକ୍ଷାତ ସମୟରେ ୟାନାଇ ଭାରତୀୟମାନଙ୍କର ଉଦ୍ୟୋଗୀ ମନୋଭାବକୁ ପ୍ରଶଂସା କରିଥିଲେ। ୟାନାଇଙ୍କ ସହ ଏହି ବୈଠକରେ କପଡ଼ା ଉଦ୍ୟୋଗକୁ ଅଧିକ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ପିଏମ-ମିତ୍ର ଯୋଜନାରେ ଭାଗ ନେବାକୁ ମୋଦି କହିଛନ୍ତି।

Share