୫ହଜାର ନୁହେଁ ମାସକୁ ୯ହଜାର ଦେବେ ସରକାର, ଛାତ୍ରୀଛାତ୍ର ଏମିତି କରନ୍ତୁ ଆପ୍ଲାଏ…

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଯୁବବର୍ଗମାନେ ଶିକ୍ଷା ଏବଂ କାର୍ଯ୍ୟ ଅଭିଜ୍ଞତା ଉଭୟ ପାଇପାରିବେ ଯାହା ଫଳରେ ଭବିଷ୍ୟତରେ ସେମାନଙ୍କ ପାଇଁ ଚାକିରି ଖୋଜିବା ସହଜ ହେବ । ଏବେ ଅଧିକ ଯୁବକମାନଙ୍କୁ ଏହାର ଲାଭ ପାଇବାରେ ସାହାଯ୍ୟ କରିବା ପାଇଁ ଏହି ଯୋଜନାରେ କିଛି ନୂତନ ପରିବର୍ତ୍ତନ କରାଯାଇଛି । ତେବେ ଆସନ୍ତୁ ଏହା ବିଷୟରେ ଅଧିକ ଜାଣିବା ।

ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା ଏକ ପଦକ୍ଷେପ ଯାହା ଯୁବପିଢ଼ିଙ୍କୁ ବଡ଼ କମ୍ପାନିରେ ଇଣ୍ଟର୍ନସିପ୍ କରିବାର ସୁଯୋଗ ପ୍ରଦାନ କରେ । ଏହା ଭବିଷ୍ୟତରେ ନିଯୁକ୍ତି ସୁଯୋଗକୁ ସୁଗମ କରିଥାଏ । ଏହି ଯୋଜନା ବିଶେଷ ଭାବରେ ସେହି ଯୁବବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ବର୍ତ୍ତମାନ ପାଠ ପଢ଼ୁଛନ୍ତି କିମ୍ବା ସଦ୍ୟ ସ୍ନାତକ ହାସଲ କରି କ’ଣ କରିବେ ବୋଲି ଚିନ୍ତା କରୁଛନ୍ତି । କାର୍ଯ୍ୟ ଅଭିଜ୍ଞତା ହାସଲ କରିବାକୁ ଚାହୁଥିବା କିମ୍ବା କ୍ୟାରିୟରରେ ଆଗକୁ ବଢ଼ିବାକୁ ଚାହୁଥିବା ଯୁବବର୍ଗ ମଧ୍ୟରେ ଏହି ଯୋଜନାରେ ଆପ୍ଲାଏ କରିପାରିବେ ।

ପୂର୍ବରୁ ଏହି ଯୋଜନାର ବୟସ ସୀମା ୨୧ ରୁ ୨୪ ବର୍ଷ ଥିଲା । କିନ୍ତୁ ସରକାର ଏବେ ବୟସ ସୀମା ୧୮ ରୁ ୨୫ ବର୍ଷକୁ ବୃଦ୍ଧି କରିଛନ୍ତି । ଏହାର ଅର୍ଥ ହେଉଛି ଅଧିକ ଯୁବତୀ ଯୁବକ ଏଥିରେ ଅଂଶଗ୍ରହଣ କରିପାରିବେ । କଲେଜ ଛାତ୍ରଛାତ୍ରୀ, ସ୍ନାତକ ଏବଂ ନୂତନ ଚାକିରି ଖୋଜୁଥିବା  ଯୁବତୀଯୁବକମାନେ ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନାରେ ଆବେଦନ କରିପାରିବେ । ଏହି ଯୋଜନା ଅନୁଯାୟୀ, ଇଣ୍ଟର୍ଣ୍ଣମାନେ ଏବେ ମାସିକ ୯,୦୦୦ ଟଙ୍କା ଷ୍ଟାଇପେଣ୍ଡ ପାଇବେ । ପୂର୍ବରୁ ୫୦୦୦ ଟଙ୍କା ମିଳୁଥିଲା କିନ୍ତୁ ଏବେ ଏହାକୁ ବଢ଼ାଯାଇ ୯ ହଜାର ଟଙ୍କା କରାଯାଇଛି । ଏହି ପରିମାଣର ୯୦% ସରକାର ଏବଂ ୧୦% ସମ୍ପୃକ୍ତ କମ୍ପାନି ପ୍ରଦାନ କରିବେ । ଏହାଛଡ଼ା ସରକାରଙ୍କ ଦ୍ୱାରା ଅତିରିକ୍ତ ୬୦୦୦ ଟଙ୍କା ମଧ୍ୟ ଦିଆଯିବ ଯାହା ପୃଥକ ଭାବରେ ପ୍ରଦାନ କରାଯିବ । ଏହି ଯୋଜନାର ଆବେଦନ ପ୍ରକ୍ରିୟା ମଧ୍ୟ ଖୁବ୍ ସରଳ । ଯୋଜନାର ସରକାରୀ ୱେବସାଇଟ୍  https://pminternship.mca.gov.in/ କୁ ଯାଆନ୍ତୁ ଏବଂ ନିଜର ନାଁ ପଞ୍ଜୀକରଣ କରନ୍ତୁ । ଆବଶ୍ୟକୀୟ ବିବରଣୀ ଯେମିତିକି (ନାମ, ଶିକ୍ଷା, ବୟସ ଇତ୍ୟାଦି) ପୂରଣ କରନ୍ତୁ । ପରିଚୟପତ୍ର, ଶିକ୍ଷାଗତ ପ୍ରମାଣପତ୍ର ଭଳି ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକ ଅପଲୋଡ୍ କରନ୍ତୁ । ଏବେ, ଉପଲବ୍ଧ କମ୍ପାନି ଏବଂ ଇଣ୍ଟର୍ନସିପ୍ ଚୟନ କରନ୍ତୁ ଏବଂ ଫର୍ମ ଦାଖଲ କରନ୍ତୁ । ଚୟନ ପରେ ପ୍ରାର୍ଥୀମାନେ ବିଭିନ୍ନ କମ୍ପାନିରେ ଇଣ୍ଟର୍ନସିପ୍ କରିବାର ସୁଯୋଗ ପାଇବେ । ଯଦି ଆପଣ କଲେଜର ଶେଷ ବର୍ଷରେ ଅଛନ୍ତି ତେବେ ଆବେଦନ କରିବା ସମୟରେ ଆପଣଙ୍କୁ ଆପଣଙ୍କ କଲେଜରୁ NOC (ନୋ ଅବଜେକ୍ସନ ସାର୍ଟିଫିକେଟ୍) ନେବାକୁ ପଡ଼ିବ ।

Share