Categories: ଜାତୀୟ

ପିଏମ୍‌ କେୟାର୍ସକୁ ପ୍ରଥମ ୫ ଦିନରେ ମିଳିିଥିଲା ୩,୦୭୬ କୋଟି

ନୂଆଦିଲ୍ଲୀ,୩ା୯: ପିଏମ୍‌ କେୟାର୍ସ ପାଣ୍ଠି ଗଠନ ହେବାର ପ୍ରଥମ ୫ ଦିନରେ ୩,୦୭୬ କୋଟି ଟଙ୍କା ଗ୍ରହଣ କରିଥିଲା ବୋଲି ସରକାରଙ୍କ ପକ୍ଷରୁ ଏକ ଅଡିଟ୍‌ ବିବୃତି ସର୍ବସାଧାରଣରେ ପ୍ରକାଶ ପାଇଛି। ମାର୍ଚ୍ଚ ୨୭ରେ ପିଏମ୍‌-କେୟାର୍ସ ଗଠନ ହୋଇଥିଲା ଏବଂ ୩୧ ତାରିଖ ମଧ୍ୟରେ ଉପରୋକ୍ତ ରାଶି ସଂଗୃହୀତ ହୋଇଥିଲା। ସେଥିରୁ ୩,୦୭୫.୮୫ କୋଟି ଟଙ୍କା ଘରୋଇ ସ୍ବେଚ୍ଛାସେବୀମାନେ ଦାନ କରିଥିବାବେଳେ ୩୯.୬୭ ଲକ୍ଷ ଟଙ୍କା ବିଦେଶୀ ଅନୁଦାନ ଥିଲା। ପିଏମ୍‌ କେୟାର୍ସର ପ୍ରାରମ୍ଭିକ ରାଶି ୨.୨୫ ଲକ୍ଷ ଟଙ୍କା ଥିଲା ଓ ପାଖାପାଖି ୩୫ ଲକ୍ଷ ଟଙ୍କା ସୁଧ ମିଳିଛି। ଏହି ଅଡିଟ୍‌ ବିବୃତି ପିଏମ୍‌ କେୟାର୍ସ ପାଣ୍ଠି ଓ୍ବେବ୍‌ସାଇଟରେ ପ୍ରକାଶ ପାଇଛି। ତେବେ କେଉଁ ଘରୋଇ ଓ ବିଦେଶୀ ଦାତା ଉକ୍ତ ପାଣ୍ଠିକୁ ଦାନ କରିଛନ୍ତି, ତାହା ଉଲ୍ଲେଖ କରାଯାଇନାହିଁ। ଏହାକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ପ୍ରଶ୍ନ କରିଛନ୍ତି। ଦାତାଙ୍କ ନାମ ଜଣାଅଛି। ଟ୍ରଷ୍ଟିମାନେ କ’ଣ ପାଇଁ ସେମାନଙ୍କ ନାଁ ପ୍ରକାଶ କରିବାକୁ ଭୟ କରୁଛନ୍ତି ବୋଲି ଚିଦାମ୍ବରମ୍‌ ଟୁଇଟ୍‌ କରିଛନ୍ତି।
କରୋନା ମହାମାରୀ ପାଇଁ ପିଏମ୍‌ କେୟାର୍ସ ପାଣ୍ଠିରେ ସଂଗୃହୀତ ଅର୍ଥକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏନ୍‌ଡିଆର୍‌ଏଫ୍‌)କୁ ସ୍ଥାନାନ୍ତର କରାଯିବାର ଆବଶ୍ୟକତା ନାହିଁ ବୋଲି ଗତମାସରେ ସୁପ୍ରିମକୋର୍ଟ କହିଥିଲେ। ପିଏମ୍‌ କେୟାର୍ସ ପାଣ୍ଠି ଏକ ଦାତବ୍ୟ ଟ୍ରଷ୍ଟ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। ତେବେ ସରକାର ଯଦି ଠିକ୍‌ ଅନୁଭବ କରନ୍ତି ତେବେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ଅର୍ଥ ହସ୍ତାନ୍ତର କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ।

Share