ପିଏମ୍‌ କେୟାର୍ସ ପାଣ୍ଠି ସମୀକ୍ଷା: ବିଜେଡି ସମର୍ଥନକୁ କଂଗ୍ରେସର ବିରୋଧ

ଭୁବନେଶ୍ୱର,୧୪।୭(ବ୍ୟୁରୋ): କରୋନା ପାଇଁ ପିଏମ୍‌ କେୟାର୍ସ ପାଣ୍ଠିର ସମୀକ୍ଷା ପାର୍ଲାମେଣ୍ଟର ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) ପ୍ରୟାସକୁ ଭାଜପା ଅଟକାଇବାରେ ସଫଳ ହୋଇଛି। ତାହା ଯେତିକି ଆଶ୍ଚର୍ଯ୍ୟ ଜନକ ଘଟଣା ନୁହେଁ ସ୍ବଚ୍ଛ ଶାସନର ଡେଙ୍ଗୁରା ପିଟୁଥିବା ବିଜେଡି ପ୍ରତିନିଧି ପିଏମ୍‌ କେୟାର୍ସ ପାଣ୍ଠିକୁ ପିଏସି ଦ୍ୱାରା ସମୀକ୍ଷା କରିବା ପ୍ରସ୍ତାବକୁ ବିରୋଧ କରିବା ଏହା ଦୁର୍ଭାଗ୍ୟଜନକ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଆଗରୁ ବାରମ୍ବାର ଭାଜପା ଓ ବିଜେଡିର ଏହି ସମ୍ପର୍କକୁ କଂଗ୍ରେସ ଲୋକଲୋଚନକୁ ଆଣିଛି। ଏବେ ପୁଣି ଦୁଇ ଦଳର ସମ୍ପର୍କ ରାଜ୍ୟରେ କଳି ଏବଂ ଦିଲ୍ଲୀରେ କୋଳାକୋଳି ବୋଲି ପୁଣିଥରେ ପ୍ରମାଣିତ କରିଛି। ପିଏମ୍‌ କେୟାର୍ସ ପାଣ୍ଠି ନେଣଦେଣକୁ ସମୀକ୍ଷା ନ କରିବା କୋଉ ଜନସ୍ବାର୍ଥ ସମ୍ବଳିତ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। ବିଜେଡି ଏହି ପ୍ରସଙ୍ଗରେ ଭାଜପା ସହିତ ମିଶି ପିଏମ୍‌ କେୟାର୍ସ ପାଣ୍ଠିର ପବ୍ଲିକ୍‌ ଆକାଉଣ୍ଟସ କମିଟି ଦ୍ୱାରା ସମୀକ୍ଷାକୁ ବିରୋଧ କରିଛି। ପିଏସିରେ ଥିବା ବିଜେଡି ଏମ୍‌ପି ପିଏସିର ଅଧ୍ୟକ୍ଷ ସୁଧୀର ରଞ୍ଜନ ଚୌଧୁରୀ ପିଏମ୍‌ କେୟାର୍ସ ପାଣ୍ଠିକୁ ପିଏସି ଦ୍ୱାରା ସମୀକ୍ଷା କରିବା ପାଇଁ ଆଣିଥିବା ପ୍ରସ୍ତାବକୁ ବିରୋଧ କରିଛନ୍ତି। ପିଏମ୍‌ କେୟାର୍ସ ଫଣ୍ଡ ଜନସାଧାରଣଙ୍କ ଟଙ୍କା, ଏହା କେଉଁଠାରୁ ଆସିଲା, କିପରି ଖର୍ଚ୍ଚହେଲା ଏବଂ କେଉଁ ଭୟରେ ବିଜେଡି ଓ ଭାଜପା ଏହାକୁ ବିରୋଧ କରୁଛନ୍ତି ତାହା ଜନସାଧାରଣଙ୍କ ଜାଣିବାର ଅଧିକାର ଅଛି ବୋଲି ନିରଞ୍ଜନ କହିଛନ୍ତି।