ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ ଗାଧୋଇବା ସହ ରିଲ୍ସ (ଭିଡିଓ) ତିଆରି କରୁଥିବା ବେଳେ ଜଣେ ଯୁବକ ଭାସିଯାଇ ନିଖୋଜ ହୋଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ କଅଁରାକୁଳ ଗ୍ରାମର ଅଶୋକ କୁମାର ଜେନାଙ୍କ ପୁଅ ଆକାଶ କୁମାର ଜେନା। ସେ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲାରୁ ୫ ଜଣ ସାଙ୍ଗ ନାଖରା ସେତୁ ନିକଟକୁ ବଢ଼ି ପାଣି ଦେଖିବାକୁ ଏବଂ ଗାଧୋଇବାକୁ ଆସିଥିଲେ। ସେଠାରେ ସେମାନେ ମୋବାଇଲ୍ରେ ରିଲ୍ସ ପ୍ରସ୍ତୁତ କରୁଥିଲେ। ଜଣେ ସାଙ୍ଗ ସେତୁ ଉପରେ ରହି ମୋବାଇଲ୍ରେ ଭିଡିଓ ସୁଟିଂ କରୁଥିବା ବେଳେ ଆକାଶଙ୍କ ସମେତ ଅନ୍ୟ ୪ ଜଣ ସାଙ୍ଗ ନଦୀ ଭିତରକୁ ପଶି ଗାଧୋଉଥିଲେ। ସେହି ସମୟରେ ସେଠାରେ ମାଛ ଧରୁଥିବା ସ୍ଥାନୀୟ ଲୋକେ ସେମାନଙ୍କୁ ଗଭୀର ପାଣିକୁ ଯିବାକୁ ବାରମ୍ବାର ବାରଣ କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ।
ଗାଧୋଉଥିବା ସମୟରେ ହଠାତ୍ ପାଣିର ପ୍ରବଳ ସ୍ରୋତ ଯୋଗୁ ସେମାନଙ୍କ ଗୋଡ଼ ଖସିଯାଇଥିଲା ଏବଂ ୪ ଜଣ ଯାକ ପାଣିରେ ବୁଡ଼ିବାକୁ ଲାଗିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରି ବହୁ କଷ୍ଟରେ ଚିନ୍ମୟ ଜେନା, ସିଲୁ ଜେନା, ମୁନା ଜେନା ଏବଂ ବଳରାମ ଜେନାଙ୍କୁ ସୁରକ୍ଷିତ ଭାବେ ପାଣିରୁ ବାହାର କରିଥିଲେ। ମାତ୍ର ଆକାଶଙ୍କର କୌଣସି ସନ୍ଧାନ ମିଳି ନ ଥିଲା ଏବଂ ସେ ପାଣି ସ୍ରୋତରେ ଭାସିଯାଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ବୈଶିଙ୍ଗା ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିଖୋଜ ଯୁକ୍ତ ୨ ଛାତ୍ର ଆକାଶଙ୍କୁ ଉଦ୍ଧାର କରିବା ପାଇଁ ନଦୀରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।