ବଦଳିପାରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ସୂଚୀ

ଭୁବନେଶ୍ୱର,୨୯।୩(ବ୍ୟୁରୋ): ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ସୂଚୀ ବଦଳିପାରେ। ପରୀକ୍ଷାସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି । ଯୁକ୍ତ ୨ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ନିର୍ଦ୍ଧାରିତ ପରୀକ୍ଷା ସୂଚୀରେ କମ ଦିନର ବ୍ୟବଧାନ ରହିଥିଲା। ଏ ନେଇ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ତେଣୁ ପରୀକ୍ଷା କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ସିଏଚ୍‌ଏସ୍‌ଇକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଦାଶ କହିଛନ୍ତି । ଏଥର ୧ ହଜାର ୫୮୬ କଲେଜର ଛାତ୍ରୀଛାତ୍ର ୧ ହଜାର ୧୪୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ । ପୂରା ପରୀକ୍ଷା ସିସିଟିଭିରେ ମନିଟରିଂ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ବିଜ୍ଞପ୍ତି ଅନୁସାରେ ବାର୍ଷିକ ଯୁକ୍ତ ଦୁଇ ପରୀକ୍ଷା ଅଫଲାଇନ୍‌ ମୋଡରେ କରାଯିବ। ପ୍ରତିଦିନ ସକାଳ ଗୋଟିଏ ଶିଟିଂରେ ୯ ଟାରୁ ପରୀକ୍ଷା ହେବ । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଭୋକେସନାଲରେ ୩.୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେବେ ।