ଯୁକ୍ତ୨ କଳା: ଖାତା ରିଚେକିଂ ଆବେଦନ ଆରମ୍ଭ

ଭୁବନେଶ୍ୱର, ୧୨। ୯(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଖାତା ରିଚେକିଂ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ସିଏଚ୍‌ଏସ୍‌ଇ ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଗୋଟିଏ ବିଷୟର ରିଚେକିଂ ଫି’ ୨୦୦ଟଙ୍କା ରହିଛି। ତେବେ ଏଥର କଳା ବିଭାଗ କିଛି ବିଷୟର ରିଚେକିଂ ପାଇଁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମୋଡ୍‌ର ବ୍ୟବସ୍ଥା କରାଯାଇଛି। ଅନ୍‌ଲାଇନ୍‌ ରିଚେକିଂ ପାଇଁ ୧୭ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଲିଙ୍କ୍‌ ପ୍ରଦାନ କରାଯିବ। ଚିଚେକିଂ ସଂକ୍ରାନ୍ତରେ ଆବେଦନ କରୁଥିବା ଛାତ୍ରୀଛାତ୍ରଙ୍କୁ ଏସ୍‌ଏମ୍‌ଏସ୍‌ ଓ ଇମେଲ୍‌ ଜରିଆରେ ସୂଚନା ଦିଆଯିବ। କିନ୍ତୁ କୋଭିଡ୍‌ ସମୟରେ ଯେଉଁ ବିଷୟରେ ପରୀକ୍ଷା ହୋଇ ନ ଥିଲା, ସେହି ବିଷୟରେ ପରୀକ୍ଷା ଖାତା ପାଇଁ ରିଚେକିଂ କରାଯାଇପାରିବ ନାହିଁ ବୋଲି ସିଏଚ୍‌ଏସ୍‌ଇ କହିଛି। ସୂଚନାଯୋଗ୍ୟ, ଗତ ୫ ତାରିଖରେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇଥିଲା।