Categories: ମେଟ୍ରୋ

ଚକନାଳ ପୋତି ପ୍ଲଟିଂ

ପୁରୁଣା ଭୁବନେଶ୍ୱର,୧୪ା୪ (ଡି.ଏନ୍‌.ଏ.): କେନ୍ଦ୍ର ସରକାର ଚାଷୀ ଓ ଚାଷର ଉନ୍ନତି ପାଇଁ ଅନେକ ନୀତି ନିୟମ ପ୍ରଣୟନ କରୁଛନ୍ତି। ମାତ୍ର ରାଜସ୍ବ ବିଭାଗର ନିଷ୍କ୍ରିୟତା ଯୋଗୁ ଅନେକ ଚାଷ ଜମି ସହିତ ଚକନାଳ, ଚକରାସ୍ତା, କାଡ଼ାନାଳୀ ଉଭାନ ହେବାକୁ ବସିଲାଣି। ଫଳରେ ଚାଷଜମି ଏକପ୍ରକାର ନିଶ୍ଚିହ୍ନ ହେବା ସହ ସେଠାରେ କଂକ୍ରିଟ ଘର ଦ୍ୱାରା ନିର୍ମାଣ ହେଉଛି। ରାଜଧାନୀ ଉପକଣ୍ଠ ଲକ୍ଷ୍ମୀନାରାୟଣପୁର ମୌଜାରେ ଜଣେ ବିଲ୍ଡର ୩୦୦ଏକରରୁ ଊର୍ଦ୍ଧ୍ୱ ଚାଷ ଜମିର କିସମ ବଦଳାଇ ଘରବାରି କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଘରବାରି ପ୍ଲଟିଂ ଯୋଗୁ ଇଟିପୁର ରାଜସ୍ବ ନିରୀକ୍ଷକଙ୍କ ଅଧୀନ ବସନ୍ତପୁର ଓ ପଳାଶପୁର ଅଞ୍ଚଳରେ ଉପରୋକ୍ତ ସମାନ ଘଟଣାରୁ ଚାଷୀ ସର୍ବସ୍ବାନ୍ତ ହେବାକୁ ବସିଲେଣି। ବସନ୍ତପୁର ଶାସନ ମୌଜାର ୩୫୯ ଖାତା ଅନ୍ତର୍ଗତ ପ୍ରାୟ ଅଧିକାଂଶ ଚକନାଳ ପ୍ରଭାବଶାଳୀ ବ୍ୟକ୍ତି, ତହସିଲ କର୍ମଚାରୀ ଓ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଅସାଧୁ କର୍ମଚାରୀଙ୍କ ସହାୟତାରେ ୧୨ଫୁଟର କମ ଓସାରିଆ ଚକରାସ୍ତା ଥିବା ଚାଷଜମି କିସମ ଘରବାରି କରୁଛନ୍ତି। ସେଗୁଡ଼ିକୁ କୌଣସି ଲେଆଉଟ ଅନୁମତି ନ ନେଇ ଓରେରା ନିୟମକୁ ଅଣଦେଖା କରି ଏହି ବେଆଇନ ପ୍ଲଟିଂ କରୁଛନ୍ତି। ଏ ନେଇ ବିଭାଗ ନିକଟରେ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଥିଲେ ମଧ୍ୟ ଅଧିକାରୀମାନେ କୌଣସି ପଦକ୍ଷେପ ନେଉ ନାହାନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।