BAPS ହିନ୍ଦୁମନ୍ଦିର ଯିବା ପୂର୍ବରୁ ପଢ଼ିନିଅନ୍ତୁ ଏହି ଗାଇଡ୍‌ଲାଇନ୍‌, ଏମିତି ଡ୍ରେସ୍‌ ପିନ୍ଧି ଯିବା ମନା

ଆବୁଧାବି,୩ା୩: ଆବୁଧାବିରେ ଥିବା ବିଏପିଏସ୍‌ ହିନ୍ଦୁ ମନ୍ଦିର ପ୍ରତ୍ୟେକ ମଙ୍ଗଳବାରଠାରୁ ଶନିବାର ସକାଳ୯ରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଦୟାକରି ଧ୍ୟାନ ଦିଅନ୍ତୁ ଯେ, ପ୍ରତି ସୋମବାର ମନ୍ଦିର ବନ୍ଦ ରହିବ। ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିର-ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମମ୍‌ ସନ୍ଥ (BAPS) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଫେବୃଆରୀ ୧୪ରେ ଉଦ୍‌ଘାଟନ କରାଯାଇଥିଲା।

ଏହି ମନ୍ଦିର ପକ୍ଷରୁ ଏହାର ସୋସିଆଲ ମିଡିଆ ‘ଏକ୍ସ’ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରାଯାଇ ସାଧାରଣ ଲୋକଙ୍କ ସହ ମନ୍ଦିର ବିଷୟରେ ସୂଚନା ଶେୟାର କରାଯାଇଛି। ଏଥିରେ କ୍ୟାପ୍‌ଶନ ଲେଖାଅଛି, ‘ଅପେକ୍ଷାର ଅନ୍ତ ଘଟିଛି। ଆବୁଧାବି ମନ୍ଦିର ବର୍ତ୍ତମାନ ସମସ୍ତ ପରିଦର୍ଶକ ଏବଂ ପୂଜକଙ୍କ ପାଇଁ ଖୋଲା ଅଛି। ଖୋଲିବା ସମୟ: ମଙ୍ଗଳବାରଠାରୁ ରବିବାର: ସକାଳ ୯ରୁ ରାତି ୮ ଏବଂ ପ୍ରତ୍ୟେକ ସୋମବାର ମନ୍ଦିର ବନ୍ଦ ରହିବ।

ଏହା ବ୍ୟତୀତ ଭକ୍ତ ତଥା ପରିଦର୍ଶକମାନଙ୍କ ପାଇଁ ଏହି ମନ୍ଦିର ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ଯାହା ମନ୍ଦିର ପରିଦର୍ଶନ କରିବା ସମୟରେ ପାଳନ କରିବା ବାଧ୍ୟତାମୂଳକ ହେବ। ଏଥିରେ ଫଟୋଗ୍ରାଫି ସହ ଜଡ଼ିତ ସ୍ବତନ୍ତ୍ର ଡ୍ରେସ୍‌ କୋଡ ଏବଂ ନିୟମ ଅନୁସରଣ କରିବା ଆବଶ୍ୟକ ହେବ। ସମସ୍ତ ନିର୍ଦ୍ଦେଶାବଳୀ ମନ୍ଦିରର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଶେୟାର କରାଯାଇଛି। ଏହି ସ୍ଥାନକୁ ପରିଦର୍ଶନରେ ଯିଏ ଆସିବେ ତାଙ୍କର ଯାତା ନିରାପଦ, ଉପଭୋଗ୍ୟ ଏବଂ ସମ୍ମାନନୀୟ ହେବ।

ନିର୍ଦ୍ଦେଶାବଳୀ ଅନୁଯାୟୀ, ଗୃହପାଳିତ ପଶୁମାନଙ୍କୁ ମନ୍ଦିର ପରିସରରେ ଅନୁମତି ଦିଆଯିବନି। ପରିଦର୍ଶକମାନଙ୍କୁ ଛୁରି, ଖାଦ୍ୟ ସାମଗ୍ରୀ, ଲଗେଜ, ଡ୍ରୋନ୍‌, ସିଗାରେଟ, ପାନୀୟ, ସାଇକେଲ କିମ୍ବା ସ୍କାଏଟ ବୋର୍ଡ ମଧ୍ୟ ନେବାକୁ ଅନୁମତି ନାହିଁ।

Share