ଥିଏଟରରେ ବାଣ ଫୁଟାଉଥିବା ଫ୍ୟାନ୍ସଙ୍କ ପାଇଁ ଏମିତି କହିଲେ ଭାଇଜାନ

ନୂଆଦିଲ୍ଲୀ,୨୮।୧୧: ନିକଟରେ ରିଲିଜ ହୋଇଛି ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ: ଦି ଫାଇନାଲ ଟ୍ରୁଥ୍‌’। ଏହି ଫିଲ୍ମର ସ୍କ୍ରିନିଂ ବେଳେ ଥିଏଟରରେ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି ଭାଇଜାନଙ୍କ ଫ୍ୟାନମାନେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସଲମାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ଏକ ଭିଡିଓବାର୍ତ୍ତା ଜାରି କରିଛନ୍ତି।

”ଅଡିଟୋରିୟମ ଭିତରକୁ ବାଣ ନେଇ ନ ଯିବାକୁ ମୋର ସମସ୍ତ ଫ୍ୟାନ୍ସଙ୍କୁ ଅନୁରୋଧ । ଏହା ଦ୍ୱାରା କେବଳ ଆପଣମାନେ ନୁହଁନ୍ତି ଅନ୍ୟମାନଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିପାରେ। ଏଣୁ ଥିଏଟର ମାଲିକମାନଙ୍କୁ ମୋର ଅନୁରୋଧ ବାଣ ଭିତରକୁ ଛାଡ଼ନ୍ତୁ ନାହିଁ। ସୁରକ୍ଷାକର୍ମୀ ବାଣ ନେଇ ଆସୁଥିବା ଦର୍ଶକଙ୍କୁ ଥିଏଟର ବାହାରେ ରୋକିବା ଉଚିତ। ଫିଲ୍ମର ମଜା ନିଅ। କିନ୍ତୁ ଏଭଳି କର ନାହିଁ। ମୋ ଫ୍ୟାନ୍ସଙ୍କ ପାଇଁ ଏହା ମୋ ଅନୁରୋଧ“ ବୋଲି ଭିଡିଓରେ ସଲମାନ କହିଛନ୍ତି।

ଏହି ଆକ୍ଟର ରବିବାର ଅନ୍ୟ ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି, ଯେଉଁଥିରେ ଫ୍ୟାନମାନେ ଫିଲ୍ମ ପୋଷ୍ଟର ଉପରେ କ୍ଷୀର ଢ଼ାଳୁଛନ୍ତି। ଏହା ଉପରେ ଲେଖିଛନ୍ତି, କିଛି ଲୋକଙ୍କୁ ପିଇବା ପାଣି ମିଳୁନାହିଁ। କିନ୍ତୁ ଆପଣମାନେ ଏଭଳି କ୍ଷୀର ନଷ୍ଟ କରୁଛନ୍ତି। ଯଦି ଆପଣ କ୍ଷୀର ଦେବାକୁ ଚାହୁଁଛନ୍ତି, ତେବେ ମୁଁ ଅନୁରୋଧ କରୁଛି ଏହାକୁ ଗରିବ ଛୁଆଙ୍କୁ ଦିଅ ଯେଉଁମାନେ ପିଇବାକୁ ପାଉ ନାହାନ୍ତି। ଉଲ୍ଲେଖଯୋଗ୍ୟ, ଗତ ୨୬ ତାରିଖରେ ରିଲିଜ ହୋଇଥିବା ଫିଲ୍ମ ‘ଅନ୍ତିମ: ଦି ଫାଇନାଲ ଟ୍ରୁଥ୍‌’ରେ ସଲମାନଙ୍କ ସହ ତାଙ୍କ ଭିଣେଇ ଆୟୁଷ ଶର୍ମା ନଜର ଆସୁଛନ୍ତି। ରିଲିଜ ହେବାର ଦୁଇ ଦିନ ମଧ୍ୟରେ ଫିଲ୍ମଟି ପୂରା ଦେଶରେ ୧୬ରୁ ୧୭ କୋଟି ଟଙ୍କା ଆୟ କରିଛି।

Share