ଡୁଙ୍ଗ୍‌ଡୁଙ୍ଗା ବଜାଇ ଜାତୀୟ ସଙ୍ଗୀତ ଗାଇ ଚର୍ଚ୍ଚାରେ ଆନନ୍ଦ

ନବରଙ୍ଗପୁର,୨୮।୧(ବି.ପ୍ର.): ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀଙ୍କ ସର୍ବପୁରାତନ ପାରମ୍ପରିକ ବାଦ୍ୟଯନ୍ତ୍ର ଡୁଙ୍ଗ୍‌ଡୁଙ୍ଗା ବଜାଇ ଜାତୀୟ ସଙ୍ଗୀତ ଗାନକରି ଏବେ ଚର୍ଚ୍ଚାରେ ନବରଙ୍ଗପୁର ସହରର ଆନନ୍ଦ କୁମାର ଦାଶ। ଆନନ୍ଦଙ୍କ ଏକ ଭିଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ସେ ଆଦିବାସୀ ବେଶ ପୋଷାକ ପିନ୍ଧି ଡୁଙ୍ଗ୍‌ଡୁଙ୍ଗା ସହିତ ଝୁମୁକା ବଜାଇ ଜାତୀୟ ସଙ୍ଗୀତ ଗାନ କରୁଛନ୍ତି। ଆନନ୍ଦଙ୍କୁ ଲୋକେ ପ୍ରଶଂସା କରିବା ସହ ଶୁଭକାମନା ଜଣାଉଛନ୍ତି। କୋରାପୁଟ ଜିଲାର ପାରମ୍ପରିକ ବାଦ୍ୟଯନ୍ତ୍ରର ପ୍ରଚାର ପ୍ରସାର ପାଇଁ ଏହା ପ୍ରୟାସ ବୋଲି ସେ କହିଛନ୍ତି।
ନବରଙ୍ଗପୁର ସହରର ୧୭ ନମ୍ବର ୱାର୍ଡରେ ଆନନ୍ଦ କୁମାର ଦାଶଙ୍କ ଘର। ବାପା ଭାବଗ୍ରାହୀ ଓ ସ୍ବର୍ଗତା ମା ପଦ୍ମାବତୀଙ୍କ ସାନପୁଅ ଆନନ୍ଦଙ୍କର ପିଲାଟିବେଳୁ ଆଦିବାସୀ ପାରମ୍ପରିକ ବାଦ୍ୟଯନ୍ତ୍ର ପ୍ରତି ଶ୍ରଦ୍ଧା ରହିଛି। ନବରଙ୍ଗପୁର କଲେଜରୁ ପାଠପଢ଼ା ସାରି ସେ ବର୍ତ୍ତମାନ ଏକ ତେଲ କମ୍ପାନୀରେ ମାର୍କେଟିଂ ଏକ୍‌ଜିକ୍ୟୁଟିଭଭାବେ କାର୍ଯ୍ୟ କରୁଛନ୍ତି। ପେସା ଅଲଗା ଥିଲେ ମଧ୍ୟ ନିଶା ତାଙ୍କର ଆଦିବାସୀ ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇବା। ସେ ଘୁଡ଼କି, ଗୋଚିବାଜା, ଟାମକ, ଢାମ୍ପ, ଟୁଡୁବୁଡ଼ି, ଖଞ୍ଜଣି, ବଂଶୀ, ତବଲା, ଢୋଲକ, ଝୁମୁକା ମଧ୍ୟ ବଜାଇ ଜାଣନ୍ତି। ଲୁପ୍ତ ହୋଇଯାଉଥିବା ବାଦ୍ୟଯନ୍ତ୍ରଗୁଡିକୁ ପୁଣିଥରେ ଜନମାନସରେ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଓଡ଼ିଶାର ବିଭିନ୍ନ ଜିଲାରେ ହେଉଥିବା ବହୁ କାର୍ଯ୍ୟକ୍ରମରେ ସେ ଭାଗ ନେଉଛନ୍ତି। ୨୦ ରୁ ୨୨ ଜଣ ସ୍ଥାନୀୟ କଳାକାରଙ୍କୁ ଲୋକସଂସ୍କୃତି ଓ ଲୋକବାଦ୍ୟ ଶିକ୍ଷା ଦେଇ ରୋଜଗାର ମଧ୍ୟ ଦେଇଛନ୍ତି।