କୁକୁର-ବିଲେଇଙ୍କ କରାଯାଉଛି ପାଷ୍ଟିକ ସର୍ଜରୀ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବେଜିଂ,୨୮।୧୨: ଚାଇନା ନିଜର ଅଦ୍ଭୁତ ଖାଦ୍ୟ ଏବଂ ପାନୀୟ ପାଇଁ ସମଗ୍ର ବିଶ୍ୱରେ କୁଖ୍ୟାତି ଅର୍ଜନ କରିଛି। ଏବେ ଅନ୍ୟ ଏକ ଘଟଣାକୁ ନେଇ ଚାଇନାକୁ ନିନ୍ଦା କରାଯାଇଛି। ଚାଇନାବାସୀଙ୍କୁ ଏବେ ନିଜର ଗୃହପାଳିତ ପଶୁଙ୍କୁ ପାଷ୍ଟିକ ସର୍ଜରୀ କରିବାର ନିଶା ଘାରିଛି। ଯାହାକୁ ନେଇ ବିଶେଷଜ୍ଞଙ୍କ ସହ ସବୁ ମହଲରୁ ନିନ୍ଦା କରାଯାଉଛି। ଏହା ଅତି ନିଷ୍ଠୁରତା ଏବଂ ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ ବୋଲି ସମସ୍ତେ ମତ ପୋଷଣ କରିଛନ୍ତି।

ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ଚାଇନାର ଲୋକମାନେ ପ୍ରସିଦ୍ଧ କାର୍ଟୁନ ଚରିତ୍ର ‘ମିକି ମାଉସ’ ପରି ଦେଖାଯିବା ପାଇଁ ସେମାନଙ୍କ ଗୃହପାଳିତ ପଶୁଙ୍କ ପ୍ଲାଷ୍ଟିକ ସର୍ଜରୀ କରୁଛନ୍ତି। ତେବେ ପ୍ରାଣୀ ଚିକିତ୍ସକମାନେ ଏହାକୁ ବିପଜ୍ଜନକ ବୋଲି କହିବା ସହ ଏପରି ହାସ୍ୟାସ୍ପଦ ଧାରଣାକୁ ବନ୍ଦ କରିବାକୁ ଦାବି କରିଛନ୍ତି। ପ୍ରାଣୀ ଚିକିତ୍ସକମାନେ କହିଛନ୍ତି ଯେ, ଏପରି କରିବା ଦ୍ୱାରା ପଶୁମାନେ କେବଳ ଶାରୀରିକ ନୁହେଁ ମାନସିକ ଯନ୍ତ୍ରଣା ମଧ୍ୟ ଦେଇ ଗତି କରୁଛନ୍ତି। ଚାଇନାରେ ଏହାକୁ ନେଇ ବିରୋଧ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ଚୋଙ୍ଗକିଙ୍ଗର ବେବି ଜିଲାସ୍ଥିତ ଏକ ପଶୁ ଚିକିତ୍ସାଳୟ ବାହାରେ କିଛି ପଶୁପ୍ରେମୀମାନେ ଏକ ବିଜ୍ଞାପନ ଦେଖିବାକୁ ପାଇଥିଲେ। ଯେଉଁଠି ଗୃହପାଳିତ ପଶୁଙ୍କୁ କସମେଟିକ ସର୍ଜରୀ ପାଇଁ ଏକ ନିଆରା ଅଫର ଦିଆଯାଇଥିଲା। ମାତ୍ର ୪୦ ଡଲାର ଅର୍ଥାତ ୩୩୦୦ଟଙ୍କାରେ ସର୍ଜରୀ କରିବା ନେଇ ଆକର୍ଷଣୀୟ ଅଫର ଦିଆଯାଇଥିଲା। ସୂଚନାଥାଉ କି, ଦେଶରେ ଏହି ପ୍ରକାର ଅସ୍ତ୍ରୋପଚାର ନିଷେଧ, କିନ୍ତୁ ପଶୁ ଚିକିତ୍ସାଳୟ ଓ ପ୍ରଜନନ ସୁବିଧା ଥିବା ହସ୍ପିଟାଲରେ ଲୁଚାଛପା ଏପରି କରାଯାଉଛି।

ଏହି ସର୍ଜରୀରେ ପୋଷା ବିଲେଇ ଏବଂ କୁକୁରଙ୍କ କାନକୁ ମିକି ମାଉସ ଭଳି କରାଯାଉଛି। ସେହିପରି କୁକୁରମାନଙ୍କର ଲାଞ୍ଜକୁ ଆଂଶିକ କିମ୍ବା ସଂପୂର୍ଣ୍ଣ ଭାବରେ ହଟାଯାଉଛି। ଏହାସହ ଗୃହପାଳିତ ପଶୁମାନଙ୍କର ପ୍ରାକୃତିକ ରଙ୍ଗକୁ ଟାମ୍ପରିଂ କରାଯାଉଛ। ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିବା ଅସ୍ତ୍ରୋପଚାରରେ, ପଶୁଙ୍କୁ ଆନାସ୍ଥେସିଆ ଦେଇ ଚେତାଶୂନ୍ୟ କରାଯାଏ। ଯାହାଫଳରେ ମିକି ମାଉସ ପରି କାନର ଆକାର ଦେବାରେ କୌଣସି ଅସୁବିଧା ହୁଏ ନାହିଁ। ଏହି ପ୍ରକ୍ରିୟା ୨୦ରୁ ୬୦ଦିନ ଯାଏଁ ଚାଲିଥାଏ।

Share