ପ୍ଲାଷ୍ଟିକ୍‌ ଦଉଡ଼ି ଟାଣି ଚାଲିଛି ଚଣ୍ଡିଆପଲ୍ଲୀ ଫେରିଘାଟ: ବିପଦରେ ଯାତ୍ରୀ

ମହାକାଳପଡ଼ା,୨୧ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା, ବ୍ଲକ୍‌, ତହସିଲ ଓ କଲେଜ ଏବଂ ମେଡିକାଲକୁ ଲୋକେ ବିଭିନ୍ନ ସମୟରେ ଯାତାୟାତ କରିଥାନ୍ତି। କିନ୍ତୁ ସେଠାକୁ ଯିବାକୁ ହେଲେ ଚଣ୍ଡିଆପଲ୍ଲୀ ଗୋବରୀ ନଦୀଘାଟ ପାରହେବାକୁ ପଡ଼ିଥାଏ। ଏଠାରେ ଥିବା ଘାଟରେ ହୁଲିଡଙ୍ଗାରେ ଲୋକେ ବିପଦପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍‌ ରଶି ଟାଣି ପାର ଉତାର ହେଉଛନ୍ତି। ଯାତ୍ରୀ ସୁରକ୍ଷା ପାଇଁ ଲାଇଫ ଜ୍ୟାକେଟ ବା ଅନ୍ୟ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ।

ସୋମବାର ପୂର୍ବାହ୍ନରେ ଏହି ଘାଟରେ ଛୋଟ ହୁଲିଡଙ୍ଗାରେ ୧୨ ଗାଡ଼ି, ୩ ସାଇକେଲ ଓ ୨୦ ଯାତ୍ରୀଙ୍କ ସମେତ ବିଭିନ୍ନ ସାମଗ୍ରୀ ଲଦାହେଲା ବେଳେ ବିପଦ ରହିଥିବା ଯାତ୍ରୀମାନେ କହିଛନ୍ତି । ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହିତ ହେଲେ ହୁଲିଡଙ୍ଗା ପ୍ରତି ବିପଦ ଆଶଙ୍କା ରହିଥିବା କୁହାଯାଉଛି। ଏହି ଫେରିଘାଟରେ ପ୍ରତିଦିନ ବହୁ ସଂଖ୍ୟାରେ ଗାଡ଼ି, ସାଇକେଲ ଓ ଅନ୍ୟାନ୍ୟ ସାମଗ୍ରୀ ବୁହାହେଉଥିବା ଦେଖିବାକୁ ମିଳୁଛି। ବିପଦପୂର୍ଣ୍ଣ ଘାଟ ପ୍ରତି ବ୍ଲକ୍‌ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟିଦେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଏ ସମ୍ପର୍କରେ ବିଡିଓ ରବିନାରାୟଣ ଆଚାର୍ଯ୍ୟଙ୍କୁ ପଚାରିବାରେ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily