ସ୍ମାର୍ଟ ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର

ଜଟଣୀ,୨୪।୮(ରବୀନ୍ଦ୍ର ମହାକୁଡ଼)ଜଟଣୀ ବ୍ଲକ କନ୍ତିଆ ପଞ୍ଚାୟତରେ ୫-ଟି ସ୍କୁଲରେ ରୂପାନ୍ତର ହୋଇଥିବା ସରକାରୀ ବିଦ୍ୟାଳୟ ଛାତରୁ ବୁଧବାର ଏକ ପ୍ଲାଷ୍ଟର ଖସିପଡ଼ିଛି। ଫଳରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ତେବେ ସ୍ମାର୍ଟସ୍କୁଲର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ଅଭିଯୋଗ ହେଉଛି। ରାଜ୍ୟର ପ୍ରତି ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇ ଦେବା ପାଇଁ ୫-ଟି ଅଧୀନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିୁ ରୂପାନ୍ତର କରାଯାଉଛି। ହେଲେ କାର୍ଯ୍ୟ ସବୁ ନିମ୍ନମାନର ହେଉଥିବାରୁ ଅନେକ ୫-ଟି ସ୍କୁଲଗୁଡ଼ିକର କାନ୍ଥ, ଛାତରୁ ପ୍ଲାଷ୍ଟର ଖସିବା, ପାଣି ଗଳିବା ଭଳି ଗୁରୁତର ଅଭିଯୋଗ ହେଉଥିବା ଦେଖିବାକୁ ମିଳିଛି। ତେବେ ଜଟଣୀର ଏହି ଭାଗବତ ବାସୁଦେବ ବିଦ୍ୟାପୀଠକୁ ପ୍ରାୟ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ କିଛିଦିନ ତଳେ ୫-ଟିରେ ରୂପାନ୍ତରିତ କରାଯାଇଛି। କାମ ସାରିବାର ମାତ୍ର ୩ ମାସ ନପୂରୁଣୁ ବୁଧବାର ଏହି ସ୍ମାର୍ଟ ସ୍କୁଲର ନବମ ଶ୍ରେଣୀ ଗୃହ ଛାତରୁ ପ୍ଲାଷ୍ଟର ଖସିଥିବା ନେଇ ସୂଚନା ମିଳିଛି। ସୌଭାଗ୍ୟବଶତଃ ଖାଇବା ଛୁଟିବେଳେ କ୍ଲାସ ରୁମରେ କେହି ନଥିବା ସମୟରେ ପ୍ଲାଷ୍ଟର ଖସିପଡିଥିଲା। ଫଳରେ ଛାତ୍ରୀଛାତ୍ର ଓ ଅଧ୍ୟାପିକା ଅଧ୍ୟାପକମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତେବେ ଘଟଣା ପ୍ରଚାର ହେବା ପରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ବିଦ୍ୟାଳୟରେ ପହଞ୍ଚି ତଦାରଖ କରିଥିଲେ। ଏ ନେଇ ବିଡିଓ ସରୋଜ ରାଉତଙ୍କୁ ପଚାରିବାରେ, ଘଟଣାସ୍ଥଳକୁ ଯନ୍ତ୍ରୀ ଯାଇ ଅନୁଧ୍ୟାନ କରୁଛନ୍ତି। ତ୍ରୁଟି ସ୍ଥାନକୁ ତୁରନ୍ତ ମରାମତି କରାଯିବ। କାର୍ଯ୍ୟ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ଖାଲି ଛାତ ପ୍ଲାଷ୍ଟର ନୁହେଁ ବରଂ ସବୁ କାମ ନିମ୍ନମାନର ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି। ଏହି ଘଟଣା ଉପରେ ଉପରିସ୍ଥ ଅଧିକାରୀ ତଦନ୍ତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।