କରୋନା ଚିକିତ୍ସାରୁ ହଟିଲା ପ୍ଲାଜ୍‌ମା ଥେରାପି…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ଚିକିତ୍ସା ମାର୍ଗଦର୍ଶିକାରୁ କନଭାଲସେଣ୍ଟ୍‌ ପ୍ଲାଜ୍‌ମା ଥେରାପିକୁ ହଟାଇ ଦିଆଯାଇଛି। ଆଇସିଏମ୍‌ଆର ପକ୍ଷରୁ ଏହି ନିଷ୍ପତ୍ତିି ଗ୍ରହଣ କରାଯାଇଛି। ଏଥିରୁ ସୁଫଳ ମିଳୁ ନ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଗତବର୍ଷ ୪୦୦ଜଣଙ୍କ ଠାରେ ଆଇସିଏମ୍‌ଆର୍‌ ପକ୍ଷରୁ ପରୀକ୍ଷା କରାଯାଇଥିଲା। ତେବେ କୌଣସି ଆଶା ଜନକ ସଫଳତା ନ ମିଳିଥିବା କୁହାଯାଇଛି। ପୂର୍ବରୁ ଚାଇନା ଏବଂ ନେଦରଲାଣ୍ଡର ବୈଜ୍ଞାନିକ ଏହା ଉପରେ ପରୀକ୍ଷା କରିଥିଲେ। କନଭାଲସେଣ୍ଟ୍‌ ପ୍ଲାଜ୍‌ମା ଥେରାପି କରୋନା ଚିକିତ୍ସା କ୍ଷେତ୍ରରେ ପ୍ରଭାବଶାଳୀ ହେଉ ନ ଥିବା ସେମାନେ ରିପୋର୍ଟରେ ଉଲ୍ଲେଖ କରିଥିଲେ। କନଭାଲସେଣ୍ଟ୍‌ ପ୍ଲାଜ୍‌ମା ଥେରାପି ଦ୍ୱାରା କରୋନା ଚିକିତ୍ସା କ୍ଷେତ୍ରରେ ବିଶେଷ ସୁଫଳ ମିଳୁ ନ ଥିବା ଆଇସିଏମ୍‌ଆର୍‌ର ବରିଷ୍ଠ ବୈଜ୍ଞାନିକ ଡ. ସମିରନ ପଣ୍ଡା ସୂଚନା ଦେଇଛନ୍ତି। ପ୍ଲାଜ୍‌ମା ଥେରାପିରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ଆଣ୍ଟିବଡ଼ି ଗୁରୁତର ରୋଗୀଙ୍କଠାରେ ପ୍ରୟୋଗ କରାଯାଇଥାଏ। ୧୧,୫୮୮ ଗୁରୁତର ଆକ୍ରାନ୍ତଙ୍କଠାରେ ଏହାର ପ୍ରୟୋଗ କରାଯାଇଥିଲେ ମଧ୍ୟ ମୃତ୍ୟୁ ଏବଂ ସୁସ୍ଥ ହେବା ସଂଖ୍ୟାରେ କୌଣସି ଫରକ୍‌ ପଡ଼ି ନ ଥିବା ସେ କହିଛନ୍ତି।

Share