୧୦୦୨ ପୋଲିସ ଦେଇଛନ୍ତି ପ୍ଲାଜ୍‌ମା

କଟକ ଅଫିସ, ୯।୨: ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଇତିମଧ୍ୟରେ ରାଜ୍ୟର ସମସ୍ତ ଜିଲା, ବାଟାଲିୟନ ଓ ପୋଲିସ ପ୍ରତିଷ୍ଠାନରୁ ୧୦୦୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ କରୋନାରୁ ସୁସ୍ଥ ହେବା ପରେ ପ୍ଲାଜ୍‌ମା ଦାନ କରିଛନ୍ତି। ଓଡ଼ିଶା ପୋଲିସ କର୍ମଚାରୀଙ୍କ ପକ୍ଷରୁ ଦାନ କରାଯାଇଥିବା ପ୍ଲାଜ୍‌ମା ରାଜ୍ୟର ପ୍ଲାଜ୍‌ମା ସଂଗ୍ରହର ୪୬ ପ୍ରତିଶତ। ରାଜ୍ୟରେ ୨୧୬୬ ଜଣ ପ୍ଲାଜ୍‌ମା ଦାନ କରିଥିବାବେଳେ ସେଥିମଧ୍ୟରୁ ଓଡ଼ିଶା ପୋଲିସର ୧୦୦୨ ଜଣ ଅଛନ୍ତି। ଏହି କାର୍ଯ୍ୟ ପାଇଁ ଡିଜିପି ଅଭୟ ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି। ଏହି ଅବସରରେ କଟକ ବକ୍ସିବଜାରସ୍ଥିତ ପୋଲିସ ମୁଖ୍ୟାଳୟ ପରିସରରେ ସୋମବାର ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା। ଏଥିରେ ପ୍ଲାଜ୍‌ମା ଦାନ କରିଥିବା ପୋଲିସ କର୍ମଚାରୀମାନଙ୍କୁ ଡିଜିପି ପ୍ରଶଂସା ସ୍ମାରକୀ ପ୍ରଦାନ କରିଛନ୍ତିି। ଏହି ଅବସରରେ ଡିଜିପି କହିଛନ୍ତି, କୋଭିଡ୍‌ ମହାମାରୀ ସମୟରେ ୪୮ ଜଣ କର୍ମଚାରୀ ପ୍ରାଣବଳି ଦେଇଥିଲେ। ସେମାନଙ୍କ ତ୍ୟାଗ ପାଇଁ ଓଡ଼ିଶା ପୋଲିସ ଖୁବ୍‌ ଗର୍ବିତ। ପ୍ଲାଜ୍‌ମା ଦାନ କରିଥିବା କର୍ମଚାରୀମାନେ ନିଶ୍ଚିତ ଧନ୍ୟବାଦର ପାତ୍ର। ସେମାନଙ୍କର ଏହି ନିଃସ୍ବାର୍ଥପର ସେବା ଅନ୍ୟ ଯବାନ, କର୍ମଚାରୀଙ୍କୁ ଅଧିକ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିବ ବୋଲି ଡିଜିପି କହିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ପୋଲିସ ପକ୍ଷରୁ ଗତ ଜୁଲାଇ ୨୪ରେ ପ୍ରଥମେ ପ୍ଲାଜ୍‌ମା ଦାନ କରାଯାଇଥିଲା। ଉକ୍ତଦିନ ଓଏସ୍‌ଏପି ତୃତୀୟ ବାଟାଲିୟନ, କୋରାପୁଟର ୨ ଜଣ ଯବାନ କଟକ ଏସ୍‌ସିବି ମେଡିକାଲରେ ସର୍ବପ୍ରଥମେ ପ୍ଲାଜ୍‌ମା ଦାନ କରିଥିଲେ।