ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଭାସ୍କର ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ (ରେଞ୍ଜର) ହରିହର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି  ବେହେରା ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ବ୍ୟାପକ ବୃକ୍ଷରୋପଣ ପାଇଁ ଉତ୍ସାହିତ କରିବା ସହ ନିଜ ଘରବାଡ଼ି, ଗ୍ରାମର ଖାଲି ସ୍ଥାନ ଏବଂ କଲେଜ ପରିସରକୁ ସଫା କରି ଜୈବିକ ପଦ୍ଧତିରେ ଗଛ ଲଗାଇବା ଓ ତାର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ପରିବେଶର ସୁରକ୍ଷା, ନିୟମିତ ବର୍ଷା ଓ ସୁସ୍ଥ ଜଳବାୟୁ ପାଇଁ ବୃକ୍ଷରୋପଣର ଆବଶ୍ୟକତା ଉପରେ ସେ ଆଲୋକପାତ କରିବା ସହ ଫଳପ୍ରଦ ଏବଂ ଔଷଧୀୟ ବୃକ୍ଷ ଉପରେ ଅଧିକ ଗୁରୁତ୍ୱ ଦେବାକୁ କହିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ମଧ୍ୟ ବୃକ୍ଷରୋପଣର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ଅବଗତ କରାଇଥିଲେ।

କାର୍ଯ୍ୟକ୍ରମରେ ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦେବରାଜ ବଳିୟାର ସିଂ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ କରିଥିଲେ। ଜାତୀୟ ସେବା ଯୋଜନା (NSS)ର କାର୍ଯ୍ୟକ୍ରମ ଅଧିକାରୀ ଅକ୍ଷୟ ବେହେରଦଳାଇ ଏହି ଅଭିଯାନରେ ସମସ୍ତଙ୍କ ସହଭାଗିତା ଲୋଡ଼ିଥିବା ବେଳେ ଯୁବ ରେଡକ୍ରସର କାଉନସେଲର ସୁଜ୍ଞାନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅଭିଯାନରେ ବନପାଳ ଶ୍ରୀରାମ ପଣ୍ଡା, କପିଳେଶ୍ୱର ପାତ୍ରଙ୍କ ସମେତ ଅନୁଷ୍ଠାନର ଅଧ୍ୟାପିକା ଓ ଅଧ୍ୟାପକ ଲଳିତା ସିଂ, ଅମିତ ନାୟକ, ବିମଳ ବସ୍ତରାୟ ଏବଂ ଶଶୀଧର ପାଟ୍ଟମାଝୀ ପ୍ରମୁଖ ଛାତ୍ରୀଛାତ୍ର ଓ ସ୍ୱେଚ୍ଛାସେବୀମାନଙ୍କ ସହ ମିଳିତ ଭାବେ ପ୍ରାୟ ୧୦୦ଟି ମୂଲ୍ୟବାନ ଚାରା ରୋପଣ କରିଥିଲେ। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ଏବଂ ଯୁବ ରେଡ଼କ୍ରସ (YRC) ପକ୍ଷରୁ ମିଳିତ ଭାବେ ଏହି ସଫଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

Dharitri – Odisha’s No.1 Odia Daily

Share