Categories: ଜାତୀୟ

୫୦ ଯାତ୍ରୀଙ୍କୁ ଛାଡ଼ି ଚାଲିଗଲା ବିମାନ

ବେଙ୍ଗାଲୁରୁ, ୧୦।୧: ମହିଳା ସହଯାତ୍ରୀଙ୍କ ଉପରେ ଯୁବକ ପରିସ୍ରା କରିବାର ଦୁଇ ଦୁଇଟି ଘଟଣା ଏବେ ଖବରର ଶିରୋନାମା ପାଲଟିଥିବାବେଳେ ଗୋ ଫାଷ୍ଟ ଫ୍ଲାଇଟ୍‌ ବିରୋଧରେ ଏକ ଅବହେଳାପୂର୍ଣ୍ଣ ଅଭିଯୋଗ ସାମ୍ନାକୁ ଆସିଛି। ସୋମବାର ଏହି ଘରୋଇ ବିମାନ ବେଙ୍ଗାଲୁରୁରୁ ଜାତୀୟ ରାଜଧାନୀ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବାକୁ ଥିବାବେଳେ ୫୦ ଯାତ୍ରୀଙ୍କୁ ବିମାନ ବନ୍ଦରରେ ଛାଡ଼ି ଚାଲିଆସିଛି। ଏ ନେଇ କେତେଜଣ ଯାତ୍ରୀ ଟୁଇଟରରେ ପୋଷ୍ଟ ଶେୟାର କରିବା ପରେ ଘଟଣା ଲୋକଲୋଚନକୁ ଆସିଛି। ଉକ୍ତ ପୋଷ୍ଟରେ ସେମାନେ ବେସାମରିକ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସମ୍ପୃକ୍ତ ଏୟାର ଲାଇନ୍ସକୁ ଟ୍ୟାଗ୍‌ କରିଛନ୍ତି।
ପୋଷ୍ଟ ମୁତାବକ, ସୋମବାର ସକାଳ ୬ଟା ୩୦ ମିନିଟ୍‌ରେ ଫ୍ଲାଇଟ୍‌ ନଂ. ଜି୮ ୧୧୬ ବେଙ୍ଗାଲୁରୁ ବିମାନ ବନ୍ଦରରୁ ଦିଲ୍ଲୀ ପାଇଁ ଟେକ୍‌ ଅଫ୍‌ କରିଥିଲା। ବୋର୍ଡିଂ ପାଇଁ ୪ଟି ବସ୍‌ରେ ଯାତ୍ରୀ ବିମାନ ନିକଟକୁ ଯାଇଥିଲେ। ତିନି ନମ୍ବର ବସ୍‌ଟି ଗେଟ୍‌ ପାଖରେ ପହଞ୍ଚିଲାବେଳକୁ ବିମାନଟି ଟେକ୍‌ ଅଫ୍‌ କରିସାରିଥିଲା। ଏହାପରେ ସମ୍ପୃକ୍ତ ଲୋକେ ସକାଳ ୧୦ଟାରେ ଏୟାର ଇଣ୍ଡିଆ ଫ୍ଲାଇଟ୍‌ରେ ଦିଲ୍ଲୀ ଯାଇଥିଲେ।
ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ୨୬ରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍‌ରେ ଜଣେ ନିଶାସକ୍ତ ବ୍ୟକ୍ତି ବୃଦ୍ଧାଙ୍କ ଉପରେ ପରିସ୍ରା କରିଥିଲେ। ଏ ନେଇ ଅଭିଯୁକ୍ତଙ୍କୁ ଗିରଫ ପରେ ଏବେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଗତ ଡିସେମ୍ବରରେ ପ୍ୟାରିସ୍‌ରୁ ଦିଲ୍ଲୀ ଆସୁଥିବା ଫ୍ଲାଇଟ୍‌ରେ ଜଣେ ଯୁବକ ନିଶାରେ ଥାଇ ମହିଳାଙ୍କ ବ୍ଲାଙ୍କେଟ୍‌ରେ ପରିସ୍ରା କରିବା ପରେ ଏ ନେଇ ସେ ମହିଳାଙ୍କୁ କ୍ଷମା ମାଗିଥିଲେ।

Share