କୋଲକାତା,୧୩ା୧୧: ନିଜର ଅସୁସ୍ଥ ସ୍ତ୍ରୀଙ୍କୁ ଏକାକୀ ଛାଡ଼ି ବିଦେଶରେ ଚାକିରି କରିବାକୁ ଯିବା ପାଇଁ ଇଚ୍ଛା ନ ଥିବାରୁ ବିମାନର ଶୌଚାଳୟରେ ମିଥ୍ୟା ‘ହାଇଜାକ୍’ (ବିମାନ ଅପହରଣ) ଧମକପୂର୍ଣ୍ଣ ଚିଠି ରଖିଥିବା ଅଭିଯୋଗରେ ଜଣେ ୫୬ ବର୍ଷୀୟ କର୍କଟ ରୋଗୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପାର୍ଥ ପ୍ରତୀମ ନନ୍ଦୀ। ସେ କୋଲକାତାର ସୋଦପୁର ଅଞ୍ଚଳର ବାସିନ୍ଦା। ବୁଧବାର ଘଟିଥିବା ଏହି ଘଟଣା ଯୋଗୁ କୋଲକାତା-ମୁମ୍ବାଇ ଏୟାର ଇଣ୍ଡିଆ ବିମାନ ଉଡ଼ାଣରେ ପ୍ରାୟ ସାତ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ଘଟିଥିଲା।
ପୋଲିସ ସୂଚନା ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୧୦ଟା ୩୦ରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏୟାର ଇଣ୍ଡିଆ ବିମାନ (ଏଆଇ ୨୭୭୨) ମୁମ୍ବାଇ ଅଭିମୁଖେ ଯିବାର ଥିଲା। ତେବେ ଉଡ଼ାଣ ପୂର୍ବରୁ ବିମାନର ଶୌଚାଳୟ ଭିତରୁ ଏକ ଧଳା କାର୍ଡରେ ଲେଖାଯାଇଥିବା ଚିଠି ମିଳିଥିଲା, ଯେଉଁଥିରେ ବିମାନଟିକୁ ଅପହରଣ କରାଯିବ ବୋଲି ଉଲ୍ଲେଖ ରହିଥିଲା। ଏହାକୁ ନେଇ ବିମାନବନ୍ଦର ପରିସରରେ ଆତଙ୍କ ଖେଳିଯାଇଥିଲା। ପାଇଲଟ ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି)କୁ ସତର୍କ ସୂଚନା ଦେବା ପରେ ସୁରକ୍ଷା ଦୃଷ୍ଟିରୁ ବିମାନଟିକୁ ଏକ ଆଇସୋଲେଶନ ଓ୍ବେ’କୁ ନିଆଯାଇଥିଲା। ସୁରକ୍ଷାକର୍ମୀମାନେ ବିମାନଟିକୁ ଘେରି ରହି ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ସମସ୍ତ ୧୦୫ ଜଣ ଯାତ୍ରୀଙ୍କୁ ପଚରାଉଚରା କରିଥିଲେ। ସମସ୍ତ ବାଧ୍ୟତାମୂଳକ ପ୍ରକ୍ରିୟା ଶେଷ ହେବା ପରେ ବିମାନଟି ସା ୫ଟା ୩୮ରେ ଗନ୍ତବ୍ୟସ୍ଥଳକୁ ଯାଇଥିଲା।
ପଚରାଉଚରା ସମୟରେ ପାର୍ଥ ପ୍ରତୀମ ନନ୍ଦୀ ସନ୍ଦେହ ଘେରକୁ ଆସିଥିଲେ ଏବଂ ପରେ ନିଜ ଦୋଷ ସ୍ବୀକାର କରିଥିଲେ। ସେ ମୁମ୍ବାଇ ଦେଇ ବିଦେଶରେ ଚାକିରି କରିବାକୁ ଯାଉଥିଲେ, ମାତ୍ର ଶେଷ ମୁହୂର୍ତ୍ତରେ ଅସୁସ୍ଥ ପତ୍ନୀଙ୍କୁ ଛାଡ଼ି ଯିବାକୁ ତାଙ୍କର ମନ ବଳି ନ ଥିଲା। ବିମାନ ଉଡ଼ାଣ ବାତିଲ କରାଇ ଘରକୁ ଫେରିବା ଉଦ୍ଦେଶ୍ୟରେ ସେ ମାନସିକ ଅସ୍ଥିରତା ମଧ୍ୟରେ ଏଭଳି ଚିଠି ଲେଖିଥିବା ପୋଲିସ ଆଗରେ ପ୍ରକାଶ କରିଛନ୍ତି। ଫୋରେନସିକ ଯାଞ୍ଚରୁ ଚିଠିର ହସ୍ତାକ୍ଷର ପାର୍ଥଙ୍କର ବୋଲି ସ୍ପଷ୍ଟ ହୋଇଛି ଏବଂ ତାଙ୍କ ନିକଟରୁ ସେହିଭଳି ଅନେକ ଧଳା କାର୍ଡ ଜବତ କରାଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷ ଗୁରୁବାର ତାଙ୍କୁ ସ୍ଥାନୀୟ ଏନ୍ଏସ୍ସିବିଆଇ ବିମାନବନ୍ଦର ଥାନା ପୋଲିସକୁ ହସ୍ତାନ୍ତର କରିଛନ୍ତି।