ଦାମାସ୍‌କସ୍‌କୁ ଟାର୍ଗେଟ୍‌ କରିବା ଯୋଜନା ପଣ୍ଡ,ଇସ୍ରାଏଲ୍‌ କ୍ଷେପଣାସ୍ତ୍ରକୁ ଧ୍ୱଂସ କଲା ସିରିଆ …

ଦାମାସ୍‌କସ୍‌, ୯।୨ : ସିରିଆ ରାଜଧାନୀ ଦାମାସ୍‌କସ୍‌କୁ ଟାର୍ଗେଟ୍‌ କରି ଉତ୍‌କ୍ଷେପଣ କରାଯାଇଥିବା ଇସ୍ରାଏଲର କ୍ଷେପଣାସ୍ତ୍ରକୁ ଧ୍ୱଂସ କରାଯାଇଛି। ସିରିଆ ବୁଧବାର ରାଜଧାନୀ ଦାମାସ୍‌କସ୍‌କୁ ଟାର୍ଗେଟ୍‌ କରି ଉତ୍‌କ୍ଷେପଣ କରାଯାଇଥିବା ବହୁ ଇସ୍ରାଏଲ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଥିବା ନେଇ ଦାବି କରିଛି। ଲକ୍ଷ୍ୟଭେଦ କରିବା ପୂର୍ବରୁ ଆକାଶରେ କ୍ଷେପଣାସ୍ତ୍ରଗୁଡ଼ିକୁ ଧ୍ୱଂସ କରାଯାଇଥିବା ସିରିଆ କହିଛି।

ଏହା ପୂର୍ବରୁ ସିରିଆ ଟେଲିଭିଜନ ରିପୋର୍ଟ କରିଥିଲା ଯେ ଦାମାସ୍‌କସ୍‌ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଇସ୍ରାଏଲ ଯୋଜନା କରିଛି। ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାରର କ୍ଷୟକ୍ଷତି କିମ୍ବା ମୃତାହତଙ୍କ ସମ୍ପର୍କରେ ସୂଚନା ଉପଲବ୍ଧ ହୋଇନାହିଁ।

ଅପରପକ୍ଷରେ ଇସ୍ରାଏଲ ସୈନ୍ୟ ବାହିନୀ କହିଛି ଯେ ଇସ୍ରାଏଲ ଆଡ଼କୁ ସିରିଆ ପକ୍ଷରୁ ଏକ ବିମାନ ପ୍ରତିିରୋଧୀ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ସିରିଆ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି କି ନାହିଁ ସେ ସମ୍ପର୍କରେ ଇସ୍ରାଏଲର ସାମରିକ ମୁଖପାତ୍ର କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି। ଇସ୍ରାଏଲ ସୈନ୍ୟବାହିନୀ ଟୁଇଟରରେ କହିଛି ଯେ ସିରିଆ ଅଞ୍ଚଳରୁ ଇସ୍ରାଏଲ ଆଡ଼କୁ ଏକ ବିମାନ ପ୍ରତିରୋଧୀ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ହୋଇଛି।

ଏହି କ୍ଷେପଣାସ୍ତ୍ର ଆକାଶରେ ପ୍ରଚଣ୍ଡ ବିସ୍ଫୋରଣ କରିଥିଲା। ତେଣୁ ଏହାକୁ ରୋକିବାର ଆବଶ୍ୟକତା ନ ଥିଲା ବୋଲି ଇସ୍ରାଏଲ୍‌ କହିଛି।

Share