Categories: ଜାତୀୟ

ଠାକରେ ଯୁଗ ଶେଷ କରିବାକୁ ଫନ୍ଦି : ଶିବସେନାକୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରିବାକୁ ଶିନ୍ଦେଙ୍କ ଉପରେ ଚାପ!…

ମୁମ୍ବାଇ,୨୧।୨ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପରେ ବର୍ତ୍ତମାନ କେନ୍ଦ୍ରର ଚାପ ବଢ଼ିବାରେ ଲାଗିଛି। କେନ୍ଦ୍ର କ୍ୟାବିନେଟରେ ଶିବସେନାକୁ ସାମିଲ କରିବା ଲାଗି ଏହି ଚାପ ପଡ଼ିବାରେ ଲାଗିଛି। ଆସନ୍ତା ବର୍ଷ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ମଧ୍ୟରେ ଆଲୋଚନା ହେଉଛି ଯେ କେନ୍ଦ୍ର ମନ୍ତ୍ରୀ ପରିଷଦରେ ଶିବସେନା ସ୍ଥାନ ପାଇଲେ ମହାରାଷ୍ଟ୍ରର ରାଜନୈତିକ ସମୀକରଣ ସୁଗମ ହେବ।

ଉଦ୍ଧବ ଠାକରେଙ୍କୁ ଦୁର୍ବଳ କରିବା ପାଇଁ ଏଭଳି କରାଯାଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଶିନ୍ଦେ ଦଳ ଆନୁଷ୍ଠାନିକ ଭାବରେ ଶିବସେନାର ନାମ ଏବଂ ନିର୍ବାଚନ ଚିହ୍ନ ପାଇବା ପରେ ଏବେ ଦଳକୁ କେନ୍ଦ୍ର ମୁହାଁ କରାଇବାର ଯୋଜନା କରାଯାଉଛି।

ଆସନ୍ତା ବର୍ଷ ମହାରାଷ୍ଟ୍ରରେ ନିର୍ବାଚନ ହେବ। ଏଭଳି ପରିସ୍ଥିତିରେ ଯଦି ମହାରାଷ୍ଟ୍ରରେ ଶିନ୍ଦେ ଦଳର ପରିଚୟ ପ୍ରତିଷ୍ଠା ହେବ ତେବେ ଆସନ୍ତା ବର୍ଷ ପୁନର୍ବାର କ୍ଷମତାକୁ ଫେରିବ। ତେବେ ଏନେଇ ଶିବସେନାକୁ ଯଥାଶୀଘ୍ର କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦେବାକୁ ପଡ଼ିବ।

ଏ ସମ୍ପର୍କରେ କେବଳ ଦଳ ମଧ୍ୟରେ ନିରନ୍ତର ଆଲୋଚନା ହୋଇନାହିଁ, ଦଳର ଏକ ପ୍ରତିନିଧୀ ମଧ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଦଳ ସହ ଜଡିତ ସୂତ୍ରରୁ ପ୍ରକାଶ ଯେ ଗତ ସପ୍ତାହରେ ମହାରାଷ୍ଟ୍ର ଆସିଥିବା ବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି।

ତେବେ ଶିବସେନା ସହ ଜଡିତ ବରିଷ୍ଠ ନେତାଙ୍କ ଅନୁସାରେ କେନ୍ଦ୍ର କ୍ୟାବିନେଟରେ ଦଳର ଯୋଗଦାନକୁ ନେଇ କୌଣସି କଳ୍ପନା ଜଳ୍ପନା ନାହିଁ। ସେମାନେ କହିଛନ୍ତି ଯେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବା ମାତ୍ରେ ଶିବସେନା ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବ। ମହାରାଷ୍ଟ୍ରର ରାଜନୈତିକ ବିଶ୍ଳେଷକ ହିମାଂଶୁ ଶିତୋଲେ କହିଛନ୍ତି ଯେ ନିର୍ବାଚନ ପାଖେଇ ଆସୁଥିବାରୁ ଶିବସେନା ଚାପରେ ରହିଛି।

ସେ କହିଛନ୍ତି ଯେ ଏହି ଚାପ କେବଳ ଯେ ଶିବସେନା ସ୍ବୀକୃତି ଅବା ନିର୍ବାଚନ ଚିହ୍ନ କିମ୍ବା କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇବା ନୁହେଁ। ଚାପ ହେଉଛି ୨୦୨୪ ବିଧାନସଭା ନିର୍ବାଚନରେ ଶିନ୍ଦେଙ୍କ ଦଳ ଶିବସେନାକୁ ପାଇବା ପରେ ଉଦ୍ଧବ ଠାକରେଙ୍କ ଦଳ ସହିତ ପ୍ରକୃତ ପରୀକ୍ଷା ସିଧାସଳଖ ହେବାକୁ ଯାଉଛି। ଏହି କାରଣରୁ କେବଳ ଶିବସେନା ନୁହେଁ ବରଂ ଭାଜପା ମଧ୍ୟ ମହାରାଷ୍ଟ୍ରର ସମସ୍ତ ରାଜନୈତିକ ସମୀକରଣକୁ ପ୍ରତ୍ୟେକ ଦୃଷ୍ଟିକୋଣରୁ ଆଗକୁ ବଢ଼ାଇବାକୁ ଚାହୁଁଛି।

Share