ଚାରିପଟୁ ଆକ୍ରମଣ ଯୋଜନା…

ମସ୍କୋ/କ୍ୱିଭ୍‌,୨୪।୨ : ଗତ ଦୁଇ ଦିନ ମଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧ ସଙ୍କଟର ପରିସ୍ଥିତି ଦ୍ରୁତ ଗତିରେ ବଦଳି ଯାଇଛି। ରୁଷିଆ ସୈନ୍ୟମାନେ ପୂର୍ବ ୟୁକ୍ରେନରେ ପ୍ରବେଶ କରିଛନ୍ତି। ପୃଥିବୀର ବହୁ ଦେଶ ରୁଷିଆକୁ ରୋକିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ରୁଷିଆ ୟୁକେନ୍‌କୁ ଚାରିପଟୁ ଘେରିବାର ଯୋଜନା କରିଛି। ବେଲାରୁଷ୍‌ ପଟୁ ୩୦ ହଜାର ସୈନ୍ୟ ୟୁକ୍ରେନ୍‌ ମୁହାଁ ହେବାରେ ଲାଗିଛନ୍ତି। ଅପରପକ୍ଷରେ ପୂର୍ବ ପଟୁ ରୁଷିଆ ସମର୍ଥିତ ବିଦ୍ରୋହୀଙ୍କ ଦ୍ୱାରା ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରହିଛି। ଡୋନେସ୍କ ଏବଂ ଲୁହାନସ୍କ ସହରର ବହୁ ଅଞ୍ଚଳ ବିଦ୍ରୋହୀ ଦଖଲ କରିସାରିଛନ୍ତି।

ରୁଷିଆ ସୈନ୍ୟ ବେଲଗୋରେଦ୍‌ ବାଟେ କାରକିଓ୍ବ ରାସ୍ତାଦେଇ କରମଓ୍ବେୁକ୍‌ରେ ଦେଇ ନାଇପର ନଦୀ ତଟରେ ପହଞ୍ଚିବେ। ଏହା ପୂର୍ବ ୟୁକ୍ରେନ୍‌ର ସୀମାକୁ ଲାଗିଛି। ନଦୀ ବାଟେ ପଶ୍ଚିମ ୟୁକ୍ରେନ୍‌ରେ ପହଞ୍ଚିବାକୁ ରୁଷିଆ ସୈନ୍ୟ ଯୋଜନା କରିଛନ୍ତି। ରୁଷିଆ ସମର୍ଥିତ ବିଦ୍ରୋହୀ ଯୁଦ୍ଧରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛନ୍ତି। ଫଳରେ ରୁଷିଆ ପାଇଁ ୟୁକ୍ରେନ୍‌ ଉପରେ ସମ୍ପୂର୍ଣ୍ଣ ଆକ୍ରମଣ କରିବା ସହଜ ହୋଇ ପାରିବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

କ୍ରିମିୟା ବାଟେ ରୁଷିଆ ସୈନ୍ୟ ନାଇପର ନଦୀ ଦେଇ କ୍ୱିଭ୍‌ ଦଖଲ କରିବାର ଯୋଜନା କରିଛନ୍ତି। ଏଥିରେ ପୂର୍ବପଟେ ଥିବା ରୁଷିଆ ସୈନ୍ୟ ତଥା ବିଦ୍ରୋହୀ ଆବଶ୍ୟକ ସହାୟତା ଯୋଗାଇ ଦେବେ। କୃଷ୍ଣ ସାଗରରେ ଥିବା ରୁଷିଆ ନୌବାହିନୀ ଏକ୍ଷେତ୍ରରେ ମଧ୍ୟ ସହାୟତା କରିବ।

ମିତ୍ର ଦେଶ ପୋଲାଣ୍ଡ, ହଙ୍ଗେରୀ ମଧ୍ୟ ସହଯୋଗ କରିବେ। ଏହାଦ୍ୱାରା ଶରଣାର୍ଥୀ ସଙ୍କଟ ବୃଦ୍ଧି ପାଇବେ। ଭିଟାମାଟି ଛାଡ଼ି ଲୋକେ ଜୀବନ ବିକଳରେ ରୋମାନିଆ ଏବଂ ମୋଲଦଓ୍ବା ମୁହାଁ ହେବେ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

ଇତିମଧ୍ୟରେ ରୁଷିଆକୁ ବିରୋଧ କରି ୟୁକ୍ରେନ୍‌କୁ ସହାୟତା ପାଇଁ ଆମେରିକା, ବ୍ରିଟେନ୍‌, କାନାଡ଼ା, ଜର୍ମାନୀ, ଅଷ୍ଟ୍ରେଲିଆ ସହିତ ଜାପାନ ମଧ୍ୟ କଟକଣା ଲାଗୁ କରିଛନ୍ତି। ୟୁକ୍ରେନ୍‌ର ଦୁର୍ବଳ ସରକାର ରୁଷିଆର ପ୍ରତିରୋଧ କରିବାରେ ବିଫଳ ହେଉଥିବାରୁ ସ୍ଥିତି ଅଧିକ ସଙ୍କଟ ଜନକ ହେବାରେ ଲାଗିଛି।

ସେହିପରି ରୁଷିଆ ବିରୋଧରେ ନାଟୋର ପଦକ୍ଷେପ ସଶକ୍ତ ହୋଇପାରୁ ନାହିଁ। ଫଳରେ ରୁଷିଆକୁ ରୋକିବା ସମ୍ଭବ ହେଉନି। ଜାତିସଂଘ ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟ ଥିବା ରୁଷିଆ ନିଜର ଭିଟୋ ଅଧିକାର ଯୋଗୁ ଅଧିକ ଶକ୍ତିଶାଳୀ ହୋଇ ଉଠିଛି। ଫଳରେ ଜାତିସଂଘ ମଧ୍ୟରେ ରୁଷିଆକୁ ରୋକିବାରେ ବିଫଳ ହେବାରେ ଲାଗିଛି।

Share