ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି। ୪୫ ପରିବାର ଓ ୨୦୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ଆଜି ବି ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପକ୍କାଘର ଓ ଗମନାଗମନ ଭଳି ସର୍ବନିମ୍ନ ମୌଳିକ ସେବାରୁ ସମ୍ପୂର୍ଣ୍ଣ ବଞ୍ଚିତ। ପ୍ରଶାସନିକ ଉଦାହସୀନତା ପ୍ରତି କ୍ଷୋଭ ପ୍ରକାଶ କରି ଗ୍ରାମବାସୀ ଆଗାମୀ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଗାଁକୁ ଖଣ୍ଡେ ପକ୍କା ରାସ୍ତା ନଥିବାରୁ ଲୋକେ ନିତିଦିନ କୁଦେଲ ଛୁଆଁ ଡଙ୍ଗର ଦେଇ ୪ କିଲୋମିଟର ଦୁର୍ଗମ ପାଦଚଲା ପାହାଡ଼ିଆ ରାସ୍ତାରେ ଯାତାୟାତ କରୁଛନ୍ତି। ବର୍ଷା ଦିନେ ଏହି ସ୍ଥିତି ଅତି ସଂକଟଜନକ ହୋଇପଡ଼େ। ପଞ୍ଚାୟତ କିମ୍ବା ବ୍ଲକ ମୁଖ୍ୟାଳୟକୁ ଯିବାକୁ ହେଲେ କଲମପୁର ସୀଙ୍ଗାରି ଘାଟି ଦେଇ ପ୍ରାୟ ୨୭ ରୁ ୩୦ କିଲୋମିଟର ବୁଲିବାକୁ ପଡ଼ୁଛି। ଏହି ସମସ୍ୟା ଲାଗି ପୂର୍ବରୁ ସାଧାରଣ ନିର୍ବାଚନରେ ଗ୍ରାମବାସୀ ଭୋଟ୍ ବର୍ଜନ କରିଥିବା ବେଳେ, ଏଥର ମଧ୍ୟ ସୁବିଧା ନମିଳିଲେ ଭୋଟ୍ ଦେବୁନାହିଁ ବୋଲି ଲକ୍ଷ୍ମୀ ମାଝୀ, ସୁନସିଂ ମାଝୀ, ମାନସିଂହ ମାଝୀ ଓ ରାଇମଲ୍ ମାଝୀଙ୍କ ସମେତ ସମସ୍ତ ଗ୍ରାମବାସୀ ପ୍ରକାଶ କରିଛନ୍ତି।
‘ବସୁଧା’ ଯୋଜନାରେ ଗ୍ରାଭିଟି ଟାଙ୍କି ଅଛି ହେଲେ ବର୍ଷ ସାରା ପାଣି ଟୋପାଏ ନାହିଁ; ଲୋକେ ଝରଣାର ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି। ମନରେଗା କାମ ମଧ୍ୟ ଗାଁରେ ପହଞ୍ଚୁ ନାହିଁ, ଯାହାଫଳରେ ରୋଜଗାର ହରାଇ ଗ୍ରାମର ୧୨ ଜଣ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇଛନ୍ତି। ଅପରପକ୍ଷେ, ଗ୍ରାମର ୩ ଜଣ ବିଧବା ଧନାଏ ଗୌଡ଼, ଚାଉଳଦେଇ ମାଝୀ, ପଦ୍ମା ମାଝୀ, ବିକଳାଙ୍ଗ ନାରଙ୍ଗା ମାଝୀ ଏବଂ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧ ରାଇସିଂ ମାଝୀ, ମାଙ୍ଗୁଡୁ ମାଝୀ, ଦିଆମତି ରାଉତଙ୍କ ଭଳି ଅନେକ ଅସହାୟ ବ୍ୟକ୍ତି ସରକାରୀ ଭତ୍ତାରୁ ବଞ୍ଚିତ ଅଛନ୍ତି। ବିଦ୍ୟାଳୟର ଛାତ ୨ବର୍ଷ ହେବ ଭାଙ୍ଗି ପଡ଼ିଥିବା ବେଳେ ଶିକ୍ଷକଙ୍କ ଅବହେଳା ଯୋଗୁଁ ପିଲାଙ୍କ ଭବିଷ୍ୟତ ବିପନ୍ନ ହୋଇପଡ଼ିଛି। ଏନେଇ ବିଡିଓ, ଧ୍ରୁବ ଚରଣ ମୁଦୁଲି କହୁଛନ୍ତି “ଗାଁରେ ରାସ୍ତା ସମସ୍ୟା ରହିଛି। ଆମେ ତୁରନ୍ତ ପ୍ରଥମେ ପକ୍କା ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା କରୁଛୁ। ରାସ୍ତା ହେଲେ ବାକି ସବୁ ସମସ୍ୟାର ସମାଧାନ ହୋଇଯିବ।” ବୋଲି କହୁଥିବା ବେଳେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ଓ ସାଂସଦ ପ୍ରତିନିଧି ପବିତ୍ର ନାଏକ “ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏହି ଗ୍ରାମ ପାଇଁ ରାସ୍ତା ସରକାରୀ ସ୍ତରରେ ମଞ୍ଜୁର ହୋଇସାରିଛି ଏବଂ ଚିଠି ମଧ୍ୟ ଆସିଛି। ଆମ ସରକାର ସମୟରେ ହିଁ ପ୍ରଥମେ ରାସ୍ତା ଏବଂ ପରେ ଅନ୍ୟ ସମସ୍ତ ସୁବିଧା ଯୋଗାଇ ଦିଆଯିବ।” ବୋଲି ପ୍ରତିକ୍ରିୟା ରଖିଛନ୍ତି । ପ୍ରଶାସନ ଓ ଜନପ୍ରତିନିଧିଙ୍କ ଏହି ପ୍ରତିଶ୍ରୁତି ଗ୍ରାଉଣ୍ଡ ସ୍ତରରେ କେବେ କାର୍ଯ୍ୟକାରୀ ହେଉଛି ଏବଂ ତୁମୋନିଖୋଲ ବାସୀଙ୍କ ଭାଗ୍ୟ କେବେ ବଦଳୁଛି, ତାହା ଦେଖିବାକୁ ବାକି ରହିଲା।

Dharitri – Odisha’s No.1 Odia Daily

Share