ଭୁବନେଶ୍ୱର, ୯।୧୦(ସୁନିତ୍ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ ଓ କର୍ମଚାରୀଙ୍କୁ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି। ଦେଶରେ ଗଣତନ୍ତ୍ରକୁ ଭାଜପା ହତ୍ୟା କରୁଥିବା ବେଳେ ଏବେ କ୍ୟାମ୍ପସ ରାଜନୀତିରେ ଭାଜପା ଗଣତନ୍ତ୍ରକୁ ହତ୍ୟା କରୁଥିବା ନେଇ ବିଜେଡି ଅଭିଯୋଗ କରିଛି।
ଶଙ୍ଖ ଭବନଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ସାରା ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିର୍ଦ୍ଦିଷ୍ଟ ଛାତ୍ର ସଙ୍ଗଠନ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ନିଜର ପ୍ରସ୍ତୁତି ପର୍ବ ସରିଲା ପରେ ସରକାର ନିର୍ବାଚନ ଘୋଷଣା କଲେ। ଓଡ଼ିଶାରେ ପ୍ରାୟ ୬୦୦ କଲେଜ ଓ ପାଖାପାଖି ୧୨ଟି ବିଶ୍ୱବିଦ୍ୟାଳୟ ଓ ଅନ୍ୟ କଲେଜଗୁଡିକରେ ଏବିଭିପି ପ୍ରାର୍ଥୀମାନେ ନିର୍ବାଚନ ଜିତିପାରିବେ ନାହିଁ ବୋଲି ସେଠାରେ ସରକାର ନିର୍ବାଚନ କରାଉନାହାନ୍ତି। ଛାତ୍ର ସଂସଦ ନିର୍ବାଚନରେ ନଗର ଉନ୍ନୟନ ମନ୍ତ୍ରୀ କଲେଜ ଅଧ୍ୟକ୍ଷ ଓ ଭିସିମାନଙ୍କୁ ଡାକି ରିଭ୍ୟୁ ନାଁରେ ଏବିଭିପି ଛାତ୍ର ସଙ୍ଗଠନ କିଭଳି ଜିତିବ ସେଥିପାଇଁ ତାଙ୍କୁ ତାଗିଦ କରୁଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ବୋଲି ଭୃଗୁ କହିଛନ୍ତି।
ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ କହିଛନ୍ତି, ସରକାର ଯଦି ଛାତ୍ର ସଂସଦ ନିର୍ବାଚନ କରାଇବାର ଥିଲା କାହିଁକି ଏକାଡେମିକ କ୍ୟାଲେଣ୍ଡରରେ ଆଗୁଆ ସୂଚନା ଦେଲେ ନାହିଁ। ଆଡ୍ମିଶନ ପ୍ରକ୍ରିୟା ଶେଷହୋଇ ନ ଥିବାବେଳେ ସରକାର ତରବରିଆ ଭାବେ ଛାତ୍ର ସଂସଦ ନିର୍ବାଚନ ନେଇ କାହିଁକି ବିଜ୍ଞପ୍ତି ପ୍ରକାଶ କଲେ। ବିଜୁ ଛାତ୍ର ଜନତା ଦଳ ସଭାପତି ଈପ୍ସିତା ସାହୁ କହିଛନ୍ତି, ଓଡ଼ିଶାରେ ଜେନ୍ ଜି ମାନଙ୍କ ଅଧିକାର ଛଡ଼ାଇନେବାକୁ ଭାଜପା ସରକାର ଭରପୂର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି।