Categories: ଜାତୀୟ

ଲଦାଖ ଲୋକଙ୍କୁ ଅଟକାଇଲା ପିଏଲ୍‌ଏ

ନୂଆଦିଲ୍ଲୀ,୧୨ା୨(ଆଇଏଏନ୍‌ଏସ୍‌): ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟମାନେ ଗତ ମାସରେ ଲଦାଖକୁ ଅନୁପ୍ରବେଶ କରି ସ୍ଥାନୀୟ ଲୋକଙ୍କୁ ଗୋରୁ ଚରାଇବାକୁ ଛାଡ଼ି ନ ଥିଲେ। ଏନେଇ ନ୍ୟୋମା ଅଞ୍ଚଳର ପୂର୍ବତନ ଭାଜପା କାଉନସିଲର ଉର୍ଗାଇନ୍‌ ଚୋଡନ୍‌ ଶୁକ୍ରବାର ଏହି ସୂଚନା ଦେବା ସହ ସୋସିଆଲ ମିଡିଆରେ ଏକ ଭିଡିଓ ଛାଡ଼ିଛନ୍ତି। ଗୋରୁପଲ ପଛରେ ଚାଇନା ସୈନ୍ୟ ଧାଉଁଥିବା ଭିଡିଓରେ ଦେଖାଯାଇଛି। ଚୋଡନ୍‌ କରିଥିବା ଟୁଇଟ୍‌ ଅନୁଯାୟୀ ଜାନୁୟାରୀରେ ପିଏଲ୍‌ଏ ସୈନ୍ୟ ଭାରତୀୟ ଅଞ୍ଚଳରେ ପ୍ରବେଶ କରି ଆମ ଗୋରୁଙ୍କୁ ଆମ ଅଞ୍ଚଳରେ ଚରିବାକୁ ଦେଇ ନ ଥିଲେ ବୋଲି କହିଛନ୍ତି। ତେବେ ଭାରତୀୟ ସୈନ୍ୟଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଏପରିକି ଜଣେ ଗୋପାଳକ ନିଜ ଚମରି ଗାଈ ଆଣିବା ପାଇଁ ଚାଇନା ପାର୍ଶ୍ୱକୁ ଯାଇ ଫେରୁଥିବାବେଳେ ଭାରତୀୟ ଯବାନ ତାଙ୍କୁ ଅଟକାଇ ଥାନାକୁ ପଠାଇଦେଇଥିଲେ ବୋଲି ଚୋଡନ୍‌ ଅଭିଯୋଗ କରିଛନ୍ତି। ଗତ ୨୨ ମାସ ହେଲା ଭାରତ ଓ ଚାଇନ ମଧ୍ୟରେ ସୀମା ବିବାଦ ଜାରି ରହିଛି। ଇତିମଧ୍ୟରେ ଉଭୟ ଦେଶର ସାମରିକ ପ୍ରତିନିଧିମାନଙ୍କ ମଧ୍ୟରେ ୧୪ ପର୍ଯ୍ୟାୟ ଆଲୋଚନା ସରିଲାଣି। ସୀମାନ୍ତ ସ୍ଥିତିରେ ଏକପାଖିଆ ପରିବର୍ତ୍ତନ ଉଦ୍ୟମକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଗତମାସରେ ଭାରତର ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ କହିଥିଲେ।

Share