ଯୁଦ୍ଧକାଳୀନ ଆଇନ ପ୍ରଣୟନ ପାଇଁ ଜିନପିଙ୍ଗ ସରକାରଙ୍କୁ ପିଏଲଏର ଆହ୍ବାନ…

ବେଜିଂ,୧୧।୩ : ତାଇୱାନକୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ତିକ୍ତତା ଏପର୍ଯ୍ୟନ୍ତ କମିନାହିଁ। ଏହି ସମୟରେ ଦେଶର ସାର୍ବଭୌମତ୍ୱ ତଥା ଜାତୀୟ ସ୍ବାର୍ଥ ରକ୍ଷା ପାଇଁ ଆବଶ୍ୟକ ହେଲେ ଯୁଦ୍ଧକାଳୀନ ଆଇନ ପ୍ରଣୟନ କରିବାକୁ ଚାଇନା ସୈନ୍ୟବାହିନୀ ସରକାରଙ୍କୁ ଆହ୍ବାନ ଦେଇଛି।

ଚାଇନା ସଂସଦରେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ)ର ପ୍ରତିନିଧୀମାନେ ନ୍ୟାଶନାଲ ପିପୁଲ୍ସ କଂଗ୍ରେସ (ଏନପିସି)ର ଅଧିବେଶନରେ ଏଭଳି ଆଇନ ପ୍ରଣୟନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି ବୋଲି ହଂକଂ ଭିତ୍ତିକ ଖବରକାଗଜ ସାଉଥ ଚାଇନା ମର୍ନିଂ ପୋଷ୍ଟ ରିପୋର୍ଟ କରିଛି। ଶାସକ କମ୍ୟୁନିଷ୍ଟ ପାର୍ଟି (ସିପିସି)ର ଏନପିସିରେ ବହୁ ସଂଖ୍ୟକ ପିଏଲଏ ପ୍ରତିନିଧୀ ଅଛନ୍ତି। ସେମାନେ ପାର୍ଟି ପ୍ରସ୍ତାବର ନିୟମିତ ଅନୁମୋଦନ ପାଇଁ ରବର ଷ୍ଟାମ୍ପ ଭାବରେ ଜଣାଶୁଣା।

ଯୁଦ୍ଧକାଳୀନ ଆଇନ ପ୍ରଣୟନ କରିବାକୁ ଜିଦ ଧରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିବା ପିଏଲଏ ଡେପୁଟି ୱୁ ସିହୁଆ କହିଛନ୍ତି ଯେ ସେନା ପାଇଁ ଏହି ଆଇନ ପ୍ରସ୍ତୁତକୁ ତ୍ୱରାନ୍ବିତ କରିବା ଉଚିତ। ଅନ୍ୟ ଜଣେ ପିଏଲଏର ଡେପୁଟି ୟେ ଡାବିନ କହିଛନ୍ତି ଯେ ଯୁଦ୍ଧ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ଯୁଦ୍ଧକାଳୀନ ଆଇନକୁ ଠିକ ସମୟରେ ଏବଂ ବ୍ୟବସ୍ଥିତ ଢଙ୍ଗରେ ଅଧ୍ୟୟନ କରିବା ଉଚିତ।

Share