ଶେରଗଡ଼ ବ୍ଲକକୁ ନିର୍ଦ୍ଦେଶନାମା ନ ଆସୁଣୁ ପିତ୍ତଳ ପଞ୍ଚାୟତ ୬ଦିନ ଶଟ୍‌ଡାଉନ

ଶେରଗଡ଼,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକକୁ ୫ଦିନ ପାଇଁ ଜିଲାପାଳ ଶଟ୍‌ଡାଉନ ଘୋଷଣା କରିଥିଲେ। ଏହି ନିର୍ଦ୍ଦେଶନାମା ଆସିବା ପୂର୍ବରୁ ପିତ୍ତଳ ସରପଞ୍ଚ ରଙ୍ଗବତୀ ବେହେରା ବୁଧବାରଠାରୁ ପଞ୍ଚାୟତକୁ ୬ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏକ ପ୍ରେସ ଇସ୍ତାହାରରେ ସେ ଲେଖିଛନ୍ତି ଯେ, ପିତ୍ତଳ ପଞ୍ଚୟତ, ନରେନ୍ଦ୍ରପୁର,ବ୍ରାହ୍ମଣଛାଇ,ତହଁର ପଞ୍ଚାୟତରେ ଗତ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକମାନେ ସାମାଜିକ ଦୂରତା ମାନୁନାହାନ୍ତି। ଫଳରେ ଅଚଳାବସ୍ଥା ସୃଷ୍ଟି ହେଲାଣି। ଏଣୁ ପିତ୍ତଳ ପଞ୍ଚାୟତକୁ ୬ଦିନ ପାଇଁ ଶଟଡାଉନ କରାଗଲା। ଏହାର ନକଲ ଶେରଗଡ଼ ବିଡିଓ, ଆସିକା ଏସ୍‌ଡିପିଓ, ଶେରଗଡ଼ ତହସିଲଦାର, ହିଞ୍ଜିଳି ଥାନା ଅଧିକାରୀଙ୍କୁ ଜଣାଇଛନ୍ତି। କରୋନା ମୁକିବିଲା ଓ ନିୟନ୍ତ୍ରଣ ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି ବୋଲି ସରପଞ୍ଚ ବେହେରା କହିଛନ୍ତି।