Categories: ଜାତୀୟ

ମାଲିକାଣୀଙ୍କୁ ଝୁଣି ମାଂସ ଖାଇଗଲା ପୋଷା କୁକୁର

ଲକ୍ଷ୍ନୌ,୧୪।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପୋଷା କୁକୁର ନିଜ ମାଲିକାଣୀଙ୍କୁ କାମୁଡି ତାଙ୍କ ମାଂସ ଖାଇଯାଇଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ମୃତ ମହିଳା ଜଣଙ୍କ ହେଲେ ୮୦ ବର୍ଷିୟା ସୁଶୀଳା ତ୍ରିପାଠୀ। ସେ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଥିଲେ।
ଲକ୍ଷ୍ନୌର ବଙ୍ଗାଳୀଟୋଲା ବାସିନ୍ଦା ସୁଶୀଳାଙ୍କ ପୁଅ ଘରର ସୁରକ୍ଷା ପାଇଁ ପୋଷା କୁକୁର ରଖିଥିଲେ। କିନ୍ତୁ ସେଇ ପୋଷା କୁକୁର ଆଜି ଏଭଳି ଭୟଙ୍କର କାଣ୍ଡ ଘଟାଇଛି। ସବୁଦିନ ପରି ସୁଶୀଳା ଘରେ ଥିବା ଏକ କୁକୁରକୁ ଛାତକୁ ବୁଲାଇବାକୁ ନେଇଥିଲେ। ହେଲେ ହଠାତ୍‌ କୁକୁରଟି ସୁଶୀଲାଙ୍କୁ ଆକ୍ରମଣ କରିଥିଲା। କୁକୁର ସୁଶୀଳାଙ୍କ ଶରୀରକୁ କାମୁଡି ଖଣ୍ଡବିଖଣ୍ଡିତ କରିପକାଇଥିଲା। କାମୁଡିବା ସହସହ ସେ ସୁଶୀଳାଙ୍କ ମାଂସ ଖାଉଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି । ତାଙ୍କ ଚିତ୍କାର ସମସ୍ତେ ଧାଇଁ ଆସିଥିଲେ। ସେତେବେଳକୁ ସୁଶୀଳା ତଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିରହିଥିଲେ। ଲୋକେ ପୋଷା କୁକୁରକୁ ଦୂରରୁ ପଥର ମାରିଥିଲେ ସୁଦ୍ଧା ସେ ସୁଶୀଳାଙ୍କୁ ଛାଡି ନ ଥିଲା। ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ କୁକୁର ସୁଶୀଳାଙ୍କୁ ଝୁଣୁଥିଲା।
ପରେ ସେହି ପୋଷା କୁକୁର ଧରାପଡିଥିଲା। ମ୍ୟୁନିସିପାଲିଟି ଟିମ କୁକୁରକୁ ଧରି ଜରହରାସ୍ଥିତ କୁକୁର କେନ୍ଦ୍ରକୁ ନେଇ ଯାଇଥିଲେ। ଲକ୍ଷ୍ନୌ ମ୍ୟୁନିସିପାଲିଟି ଅଧିକାରୀ ଅରବିନ୍ଦ ରାଓ କହିଛନ୍ତି, କୁକୁର ମାଲିକଙ୍କୁ ନୋଟିସ ଦିଆଯାଇଛି। ଯଦି ତାଙ୍କ ପାଖରେ ଲାଇସେନ୍ସ ନ ଥାଏ, ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share