ପିପିଲି ନିର୍ବାଚନମଣ୍ଡଳୀର ବିକାଶ ହିଁ ମୋର ପ୍ରଥମ ଲକ୍ଷ୍ୟ: ରୁଦ୍ର

ଭୁବନେଶ୍ୱର,୫।୧୦(ବ୍ୟୁରୋ): ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥି ଶପଥ ନେଇଛନ୍ତି। ମଙ୍ଗଳବାର ବିଧାନସଭାରେ ତାଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶପଥ ନେବା ପରେ ଅଞ୍ଚଳର ବିକାଶ ହିଁ ତାଙ୍କର ପ୍ରଥମ ଲକ୍ଷ୍ୟ ହେବ। ଶପଥ ନେଇଯିବା ପରେ ବୁଧବାରଠାରୁ ଏ ଦିଗରେ ସେ କାମ କରିବା ଆରମ୍ଭ କରିଦେବେ ବୋଲି ରୁଦ୍ର କହିଛନ୍ତି।

ପ୍ରକାଶ ଯେ, ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ପିପିଲି ଆସନ ଖାଲି ପଡ଼ିଥିଲା। ଏହାକୁ ନେଇ ସାନି ନିର୍ବାଚନ କରାଯାଇଥିଲା। ଏଥିରେ ବାଜିମାତ କରିନେଇଛନ୍ତି ରୁଦ୍ର। ସେ ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ନିର୍ବାଚନରେ ବିଜୟୀ ହେବା ପରେ ସେ ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।