ଗୋପ,୧୦ା୬(ଭାରତୀ ଭୂଷଣ ଉପାଧ୍ୟାୟ): ପର୍ଯ୍ୟଟନର ବିକାଶ ଲାଗି ଖୁବ୍ଶୀଘ୍ର ପିପିଲି-କୋଣାର୍କ ରାଜ୍ୟ ରାଜପଥକୁ ୪ ଥାକିଆ ରାସ୍ତା କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏକ ୭ ଜଣିଆ ଟିମ୍ ଗୋପ ବଜାର ଛକ ନିକଟରେ ରହି ଦୈନନ୍ଦିନ ଅର୍ଥାତ୍ ୨୪ ଘଣ୍ଟା ମଧ୍ୟରେ କେଉଁ ରାସ୍ତାରେ କେତେ ଗାଡ଼ି ଯାତାୟାତ କରୁଛି, ସେ ସମ୍ପର୍କରେ ଦେଖିବା ସହିତ ସମସ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ଇଂ. ଦୀପ୍ତିକାନ୍ତ ମହାନ୍ତି ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଦୈନିକ ପୁରୀ, କୋଣାର୍କ ବୁଲିବା ପାଇଁ ଦେଶ ବିଦେଶର ପର୍ଯ୍ୟଟକମାନେ ଗୋପ ବଜାର ଦେଇ ଯାଇଥାନ୍ତି। ଗୋପ ବଜାର ଛକଠାରୁ କଟକ, ଭୁବନେଶ୍ବର, ପୁରୀ ସହିତ ଅନ୍ୟାନ୍ୟ ରାସ୍ତା ରହିଛି। ଏହି ରାସ୍ତାରେ ମଧ୍ୟ ଦୈନନ୍ଦିନ ପର୍ଯ୍ୟଟକମାନେ ଯିବାଆସିବା କରିଥାନ୍ତି।
ମୁଖ୍ୟତଃ ପିପିଲି-କୋଣାର୍କ ୧୩ନଂ. ରାଜ୍ୟ ରାଜପଥର ୪୬ କି.ମି. ରାସ୍ତାକୁ ୪ ଥାକିଆ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ଏପରି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ଓବିସିସି ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏକ ୭ ଜଣିଆ ଟିମ୍ ପିପିଲି-କୋଣାର୍କ, ଗୋପ-ନଖରା, ଗୋପ-ମାଧବ, ଗୋପ-ଭୁବନେଶ୍ୱର ରାସ୍ତାରେ ୨୪ ଘଣ୍ଟା ମଧ୍ୟରେ କେତେ ୪ଚକିଆ ଯାନ, କେତେ ଦୁଇଚକିଆ ଯାନ ସହିତ ଅନ୍ୟାନ୍ୟ ଗାଡ଼ି ଯା’ଆସ କରୁଛି ସେ ସମ୍ପର୍କରେ ଦେଖୁଥିବା ସୂଚନା ମିଳିଛି। ଏହି ତନଖି କାର୍ଯ୍ୟ ମଙ୍ଗଳବାର ସକାଳ ୯ରୁ ଆରମ୍ଭ ହୋଇ ବୁଧବାର ସକାଳ ୯ଟା ପର୍ଯ୍ୟନ୍ତ ହୋଇଥିଲା।