ଲକ୍ଷାଧିକ ଟଙ୍କାର ପାଇପ୍‌ ପୋଡ଼ି ପାଉଁଶ

ସମ୍ବଲପୁର,୨୩ା୫(ବ୍ୟୁରୋ): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥାର ଗୁଣ୍ଡେରପୁରସ୍ଥିତ ଷ୍ଟକ୍‌ୟାର୍ଡରେ ସୋମବାର ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ପାଇପ୍‌ ପୋଡ଼ି ପାଉଁଶ ହୋଇଯାଇଛି। ସକାଳ ପ୍ରାୟ ୧୦ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ପାଇପ୍‌ କମ୍ପାନୀ ଅଧିକାରୀ ଜ୍ୟୋତି ରଞ୍ଜନ ଶତପଥୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କମ୍ପାନୀର ସୁରକ୍ଷା ପ୍ରାଚୀର ବାହାରେ ଥିବା କ୍ଷେତ ନଡାରେ କୌଣସି କାରଣରୁ ନିଆଁ ଲାଗିଥିଲା। ଏହି ନିଅଁା ବ୍ୟାପି ପାଇପ୍‌ରେ ଲାଗିଯାଇଥିଲା। ନିଆଁ ଲାଗିଥିବା ଦେଖି ସ୍ଥାନୀୟ କର୍ମଚାରୀ ଏହାକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁ ଲିଭିବା ପରିବର୍ତ୍ତେ ଆହୁରି ଜୋରରେ ହୁତ୍‌ହୁତ୍‌ ହୋଇ ଜଳିଉଠିଥିଲା। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଖବର ପାଇ ମାନେଶ୍ୱର, ଯୁଯୁମୁରା, ସମ୍ବଲପୁର ଅଗ୍ନିଶମ ବାହିନୀର ୫ଟି ଟିମ୍‌ ପହଞ୍ଚତ୍ ୩ଘଣ୍ଟା ପରିଶ୍ରମ କରି ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ। ଅନ୍ୟପଟେ ଘଟଣାସ୍ଥଳରେ ସମ୍ବଲପୁର ଉପଜିଲାପାଳ ପ୍ରଭାସ ଦଣ୍ଡସେନା, ଧମା ଥାନା ଅଧିକାରୀ ପ୍ରଶାନ୍ତ ସାମଲ ଉପସ୍ଥିତ ରହିଥିଲେ। ଉପଜିଲାପାଳ ଦଣ୍ଡସେନା କହିଛନ୍ତି, ପାଇପ୍‌ ଗୋଦାମରେ ସିସିଟିଭି ବ୍ୟବସ୍ଥା ଓ ନିଆଁ ଲିଭାଇବା ପାଇଁ ଫାୟାର ସେଫ୍ଟି ବ୍ୟବସ୍ଥା ନ ଥିବା କୁହାଯାଉଛି। କେତେ ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି ତାହା ଜଣାପଡି ନ ଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଏହି ପାଇପ୍‌ ମାନେଶ୍ୱର ବ୍ଲକର ୫ ଗୋଟି ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପରେ ବ୍ୟବହାର ପାଇଁ ଗଚ୍ଛିତ ରଖାଯାଇଥିଲା।