ହୃଦଘାତରେ ଚାଲିଗଲା ପିଇଓଙ୍କ ଜୀବନ: ଆଖି ଦାନ କଲେ ପରିବାର

ମୋରଡ଼ା,୭।୩(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡା ଫାଣ୍ଡି ଅଧୀନ ହଳଦୀପାଳ ଗ୍ରାମରେ ଜଣେ ପିଇଓଙ୍କ ଅକାଳ ବିୟୋଗ ଘଟିଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ମୃତକ ଜଣକ ହେଲେ ହଳଦୀପାଳ ଗ୍ରାମର ଅଜୟ କୁମାର ବେହେରା l

ସୂଚନାଯୋଗ୍ୟ, ଅଜୟ ବେତନଟୀ ବ୍ଲକରେ ପିଇଓ ଭାବେ କାର୍ଯ୍ୟ କରୁଥିଲେ। ଗତ ମଙ୍ଗଳବାର ରାତିରେ ଅଜୟ ଘରେ ଶୋଇଥିବା ବେଳେ ହଠାତ୍‌ କାଶ ହୋଇ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବାରମାଇଲସ୍ଥିତ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ବାରିପଦା ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଇଥିଲେ।

ଅଜୟଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଏବଂ ଗୋଟିଏ ଝିଅ। ବାପା ଅଜୟଙ୍କ ମୃତ୍ୟୁପରେ ଝିଅ ବାପାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ପରବର୍ତ୍ତୀ ସମୟରେ ବାପାଙ୍କ ଆଖି ଦାନ କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ଗାଁରେ ଅନ୍ତିମ ସତ୍କାର କରାଯାଇଥିଲା। ଝିଅ ମୁଖାଗ୍ନି ଦେଇଥିଲେ। ପରିବାର ଲୋକଙ୍କ ଅଙ୍ଗଦାନ ନିଷ୍ପତିକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।