ପାନବରଜ ପାଇଁ ପିମ୍ପୂଳା ଭରସା

ମହାକାଳପଡ଼ା,୨୮।୯ (ଡି.ଏନ.ଏ.):ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାରେ କୁଶଳୀ, ଅର୍ଦ୍ଧ କୁଶଳୀ ଶ୍ରମିକମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଅନେକ ଶ୍ରମିକ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ମହାକାଳପଡ଼ା ବ୍ଲକ ବତିଘର, ରାମନଗର, ଖରିନାସୀ, ପେଟଛେଲା ଆଦି ପଞ୍ଚାୟତର ବହୁ ମହିଳାପୁରୁଷ ଶ୍ରମିକ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ପାନ ବରଜରେ କଞ୍ଚା ମାଲ ଉପଯୋଗ ହେଉଥିବା ପିମ୍ପୂଳାକୁ ସଂଗ୍ରହ କରିଥାନ୍ତି। ଏହା ମୁଖତଃ ମହାନଦୀ ପଠା, ହେଟାମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ସମେତ ବିଭିନ୍ନ ଖାଲ, ଗହିର ପାଟ, ପଡ଼ିଆ ଜମିରୁ ଶ୍ରମିକମାନେ ସଂଗ୍ରହ କରିଥାନ୍ତି। ପିମ୍ପୂଳାକୁ ଖରାରେ ଶୁଖାଇବା ପରେ ଛୋଟ ଛୋଟ ବିଡା କରି ବିକ୍ରୟ ପାଇଁ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ପରେ ବ୍ୟବସାୟୀମାନେ ଜଗତ୍‌ସିଂହପୁର ଜିଲା ପାରାଦୀପ, କୁଜଙ୍ଗ, ଏରସମା, ତ୍ରିଲୋଚନପୁର, ଢିଙ୍କିଆ, ନୂଆଗଁା, ଗୋବିନ୍ଦପୁର ଆଦି ଅଞ୍ଚଳର ପାନ ବରଜ କରିଥିବା ଚାଷୀମାନଙ୍କୁ ବିଡା ପ୍ରତି ୨୦ ଟଙ୍କା ଦରରେ ବିକ୍ରୟ କରିଥାନ୍ତି। ମହାକାଳପଡ଼ା ବ୍ଲକର କେତେଜଣ ଶ୍ରମିକ କାମ ଅଭାବରୁ ଏହି ପିମ୍ପୂଳାକୁ ସଂଗ୍ରହ କରି ବେଶ୍‌ ଦି’ ପଇସା ରୋଜଗାର କରିଥାନ୍ତି। ବହାକୁଦ ଗ୍ରାମର ନାରାୟଣ ବେହେରା, ମାଳତି ବେହେରା କହିଛନ୍ତି, ଦୈନିକ ପିମ୍ପୂଳା ସଂଗ୍ରହ କରି ୨ ଶହରୁ ୩ ଶହ ଟଙ୍କା ରୋଜଗାର ହେଉଛି। ଏହି ପିମ୍ପୂଳାକୁ ପାନ ବରଜ ଲଟାରେ ବନ୍ଧା ଯାଇଥାଏ। ଅପରପକ୍ଷରେ ଶିଳ୍ପ କାରଖାନା ଯୋଗୁ ପାରାଦୀପ, କୁଜଙ୍ଗ, ଏରସମା ଅଞ୍ଚଳରେ ପାନ ବରଜ ପାଇଁ କଞ୍ଚା ମାଲ ପିମ୍ପୂଳା ଅଭାବ ରହିଛି। ତେଣୁ ପଡ଼ୋଶୀ ଜିଲାର ପାନବରଜ ମାଲିକମାନେ ମହାକାଳପଡ଼ା ଅଞ୍ଚଳରୁ ପିମ୍ପୂଳା ନେଉଛନ୍ତି। ଏହି ପିମ୍ପୂଳା ଏକ ଘାସ ଜାତୀୟ ଗଛ। ଏହା ଦୋରସା ଓ ପଙ୍କୁଆ ମାଟିରେ ବେଶ୍‌ ବଢ଼ିଥାଏ। ବର୍ଷା ଦିନରେ ଚାଷ ଜମି ହିଡ଼ ଓ ପଡ଼ିଆ ଜମିରେ ଦେଖିବାକୁ ମିଳେ। ଏହା ହାରାହାରି ୨ରୁ ଅଢେଇ ଫୁଟ୍‌ ଲମ୍ବର ହୋଇଥାଏ। ଶ୍ରମିକମାନେ ଏହାକୁ କାଟି ସଂଗ୍ରହ କରିଥାନ୍ତି। ଦୈନିକ ମଜୁରି ବାବଦରେ ଦେଖିବାକୁ ଗଲେ ଦିନମାନ ପରିଶ୍ରମ ହିସାବରେ ମଜୁରି କମ୍‌ ହୋଇଥାଏ। ଦିନମାନ ଖରା ବର୍ଷାରେ ବିଭିନ୍ନ ଅଞ୍ଚଳ ବୁଲି ଏହାକୁ ସଂଗ୍ରହ କରିବାକୁ ପଡିଥାଏ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ଧନ୍ଦା ନ ମିଳିବାରୁ ସ୍ଥାନୀୟ ଶ୍ରମିକମାନେ ବାଧ୍ୟ ହୋଇ ପିମ୍ପୂଳା ସଂଗ୍ରହ କରି ଦୁଇ ପଇସା ରୋଜଗାର କରିଥାନ୍ତି।