Categories: ଜାତୀୟ

ପାଇଲଟ୍‌ଙ୍କ ଏକାକୀ ପ୍ରଚାର ଯୋଜନା: ଚିନ୍ତାରେ କଂଗ୍ରେସ

ଜୟପୁର,୧୪।୧: ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଉ ପ୍ରାୟ ୧୦ ମାସ ବାକି ରହିଥିବାବେଳେ ବରିଷ୍ଠ ନେତା ସଚିନ ପାଇଲଟ୍‌ ଏକାକୀ ସାରା ରାଜ୍ୟରେ ର଼୍ୟାଲି କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଫଳରେ ରାଜ୍ୟ କଂଗ୍ରେସରେ ପୁଣି ଥରେ ବିବାଦ ଆରମ୍ଭ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ପଦ ଆଶାୟୀ ପାଇଲଟ୍‌ ପୂର୍ବରୁ ରାଜ୍ୟ ନେତୃତ୍ୱ ବିରୋଧରେ ବିଦ୍ରୋହ କରିଥିଲେ। ନିକଟରେ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାଁ ଉଠିଥିବାବେଳେ ପାଇଲଟଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରାଇବା ଲାଗି କେନ୍ଦ୍ରୀୟ ନେତୃତ୍ୱ ଚାହୁଁଥିବାବେଳେ ଗେହଲଟ ଗୋଷ୍ଠୀ ତାହା କରାଇ ଦେଇ ନ ଥିଲେ। ଯୋଜନା ଅନୁଯାୟୀ ପାଇଲଟ୍‌ ଆସନ୍ତା ସପ୍ତାହରୁ ଅନେକ ସାଧାରଣ ସଭା କରି କୃଷକ ଏବଂ ଯୁବଗୋଷ୍ଠୀଙ୍କୁ ସମ୍ବୋଧିତ କରିବେ। ରାଜସ୍ଥାନରେ ଭାରତ ଯୋଡ଼ୋ ଯାତ୍ରା ସଫଳ ହେବା ସତ୍ତ୍ୱେ ରାଜ୍ୟ ନେତୃତ୍ୱ ବିବାଦ ଅସମାହିତ ରହିଛି। ପାଇଲଟଙ୍କ ଏକୁଟିଆ ପ୍ରଚାର ଯୋଜନା ଦଳ ଉପରେ ଚାପ ପକାଇବାର ଏକ କୌଶଳ ବୋଲି କୁହାଯାଉଛି। ତେବେ ଏହାକୁ ପାଇଲଟ୍‌ଙ୍କ ଗୋଷ୍ଠୀ ପକ୍ଷରୁ ଖଣ୍ଡନ କରାଯାଇଛି। ଲୋକଙ୍କ ନିକଟତର ହେବା ଲାଗି ସେ ଏଭଳି ର଼୍ୟାଲିର ଯୋଜନା କରିଥିବା ପାଇଲଟ୍‌ଙ୍କ ଘନିଷ୍ଠ ସୂତ୍ରରୁ କୁହାଯାଇଛି। ଭାରତ ଯୋଡ଼ୋ ଯାତ୍ରାର ମାହୋଲ କୃଷକ ଓ ଯୁବଗୋଷ୍ଠୀଙ୍କ ମଧ୍ୟରେ ଯେପରି ନିର୍ବାଚନ ପର୍ଯ୍ୟନ୍ତ ଜାରି ରହେ, ସେଥିପାଇଁ ବିଭିନ୍ନ ରାଲିର ଆୟୋଜନ ହେବାକୁ ଯାଉଥିବା ସେମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟ ତାଙ୍କର ଶେଷ ବଜେଟ ପ୍ରସ୍ତୁତିରେ ବ୍ୟସ୍ତ ଥିବାବେଳେ ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଦୋତାସାରା ତୃଣମୂଳ ସଂଗଠନ ବଢ଼ାଇବାରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ନିର୍ବାଚନ ବର୍ଷରେ ଦଳକୁ ସକ୍ରିୟ ରଖିବା ଲାଗି ପାଇଲଟ ଲୋକଙ୍କ ନିକଟତର ହେବାକୁ ଲକ୍ଷ୍ୟ ରଖିଥିବା ତାଙ୍କ ଗୋଷ୍ଠୀ ସୂତ୍ରରୁ କୁହାଯାଇଛି।

Share