ବିମାନ ଅବତରଣ କରାଇବାକୁ ଭୁଲିଗଲେ ପାଇଲଟ

ଆଡିସ୍‌ ଆବାବା,୧୯।୮: ଇଥିଓପିଆ ଏୟାରଲାଇନ୍ସର ଏକ ବିମାନରେ ଅଭାବନୀୟ ଘଟଣା ଘଟିଛି। ୩୭,୦୦୦ ଫୁଟ୍‌ ଉଚ୍ଚରେ ବିମାନଟି ଉଡ଼ାଣ ଭରିଥିବା ବେଳେ ପାଇଲଟ ଅବତରଣ କରିବାକୁ ଭୁଳିଯାଇଥିଲେ। କାରଣ ୨ପାଇଲଟ ବିମାନରେ ଶୋଇପଡ଼ିଥିଲେ। ଗତ ସୋମବାର ଏହି ଘଟଣା ଘଟିଥିଲା। ସୂଚନାଯୋଗ୍ୟ, ସୁଡାନର ଖର୍ତୁମ୍‌ରୁ ଇଥିଓପିଆ ରାଜଧାନୀ ଆଡିସ୍‌ ଆବାବା ଅଭିମୁଖେ ଇଟି୩୪୩ ବିମାନଟି ଯାଉଥିଲା। ବିମାନବନ୍ଦର ଉପରେ ପହଞ୍ଚତ୍ଥିଲେ ହେଁ ଅବତରଣ ପ୍ରକ୍ରିୟା ଆରମ୍ଭ ନ କରିବାରୁ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ(ଏଟିଏସ୍‌) ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା। ପାଇଲଟ ଶୋଇଥିବା ବେଳେ ବୋଇଂ ୭୩୭ ବିମାନର ଅଟୋପାଇଲଟିଂ ସିଷ୍ଟମ ଏହାକୁ ୩୭,୦୦୦ ଫୁଟ୍‌ ଉଚ୍ଚରେ ଉଡ଼ାଇ ରଖିଥିଲା। ଏଟିସି କର୍ତ୍ତୃପକ୍ଷ ପାଇଲଟ୍‌ମାନଙ୍କ ସହ ଯୋଗାଯୋଗ କରିବାକୁ ଏକାଧିକ ଥର ଉଦ୍ୟମ କରି ବିଫଳ ହୋଇଥିଲେ। ଯେତେବେଳେ ବିମାନଟି ଓହ୍ଲାଇବାକୁ ଥିବା ବିମାନବନ୍ଦର ଅତିକ୍ରମ କରିଗଲା, ସେତେବେଳେ ଅଟୋପାଇଲଟ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ ବିମାନରେ ଆଲାର୍ମ ବାଜିବାରୁ ପାଇଲଟମାନେ ଉଠିପଡ଼ିଥିଲେ। ସେମାନେ ୨୫ ମିନିଟ ବିଳମ୍ବରେ ବିମାନଟିକୁ ରନ୍‌ଓ୍ବେରେ ଅବତରଣ କରାଇଥିଲେ। ସୌଭାଗ୍ୟବଶତଃ ବିମାନଟି ନିରାପଦରେ ଅବତରଣ କରିଥିଲା ଓ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେବେ ଏହା ଅତ୍ୟନ୍ତ ଉଦ୍‌ବେଗଜନକ ଘଟଣା ବୋଲି ବିମାନ ଚଳାଚଳ ବିଶ୍ଳେଷକ ଆଲେକ୍ସ ମାଚେରାସ୍‌ କହିଛନ୍ତି। ପାଇଲଟଙ୍କ ଉପରେ ଅତ୍ୟଧିକ କାମ ଚାପ ଯୋଗୁ ସେମାନେ ଥକିପଡ଼ି ଶୋଇଯାଉଥିବା ସେ ଅଭିଯୋଗ କରିଛନ୍ତି।

Share