Categories: ଜାତୀୟ

ନିର୍ବାଚନ ପୂର୍ବରୁ ନୂଆ ଦଳ ଗଢ଼ିପାରନ୍ତି ପାଇଲଟ୍‌

ଜୟପୁର, ୭ା୬: ରାଜସ୍ଥାନ କଂଗ୍ରେସରେ ଏକତା ରକ୍ଷା ପାଇଁ ଦଳୀୟ ନେତୃତ୍ୱ ଉଦ୍ୟମ ଚଳାଇଥିବାବେଳେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ସଚିନ ପାଇଲଟ୍‌ ବାରମ୍ବାର ଏହାକୁ ଚ୍ୟାଲେଞ୍ଜ କରିଆସୁଛନ୍ତି। ନିର୍ବାଚନ ପୂର୍ବରୁ ସେ ନିଜର ଦଳ ଗଢ଼ି କଂଗ୍ରେସକୁ ବଡ଼ ଝଟକା ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଜୋର୍‌ ଧରିଛି। ସଚିନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜେଶ ପାଇଲଟ୍‌ଙ୍କ ଶ୍ରାଦ୍ଧବାର୍ଷିକୀ ଜୁନ୍‌ ୧୧ରେ ସେ ବଡ଼ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ତେବେ ସେ ନିଜ ଦାବି ପୂରଣ ପାଇଁ କଂଗ୍ରେସ ନେତୃତ୍ୱଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବେ ବୋଲି ତାଙ୍କ ଘନିଷ୍ଠ ସୂତ୍ରରୁ ଜଣାପଡ଼ିଛି। ଜୁନ୍‌ ୧୧ରେ କୌଣସି ବଡ଼ ରାଲି କରିବା ଯୋଜନା ନାହିଁ ବୋଲି ତାଙ୍କ ପାଖ ଲୋକମାନେ କହିଛନ୍ତି।
ବସୁନ୍ଧରା ରାଜେଙ୍କ ନେତୃତ୍ୱାଧୀନ ଭାଜପା ସରକାର ଅମଳରେ ହୋଇଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାଇଲଟ୍‌ ତାଙ୍କ ନିଜ ସରକାରଙ୍କୁ ଆହ୍ବାନ ଦେଇଥିଲେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କର ଭାଜପା ସହ ବୁଝାମଣା ଥିବାରୁ ସେ ବସୁନ୍ଧରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ପାଇଲଟ ଅଭିଯୋଗ କରିଛନ୍ତି, ଯାହାକୁ ଭାଜପା ଖଣ୍ଡନ କରିଛି। ତେବେ ନିଷ୍ପତ୍ତି ଦଳର କେନ୍ଦ୍ରୀୟ ନେତୃତ୍ୱ ନେବାକୁ ଥିବାରୁ ପାଇଲଟ୍‌ ସେଥିପାଇଁ କିଛିଦିନ ଅପେକ୍ଷା କରିବେ ବୋଲି ତାଙ୍କ ନିକଟ ମହଲରୁ କୁହାଯାଇଛି। ଗତ ମାସରେ ଉଭୟ ନେତା ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ ରାହୁଲ ଗାନ୍ଧୀଙ୍କ ସହ ଦୀର୍ଘ ୪ ଘଣ୍ଟା ଆଲୋଚନା କରିଥିଲେ ମଧ୍ୟ ସମାଧାନର ସୂତ୍ର ବାହାରିପାରି ନ ଥିଲା। ଦଳ ଏକାଠି ନିର୍ବାଚନ ଲଢ଼ିବ ବୋଲି ହାଇକମାଣ୍ଡ କହିଥିଲେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ଦୂର ହୋଇନାହିଁ।

Share