୩୦ ହଜାର ଫୁଟ ଉଚ୍ଚରେ ବେହୋସ ହେଲେ ପାଇଲଟ୍‌, ଯାତ୍ରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ

ଆଙ୍କରା,୨୭ା୮:  ବିମାନ ଯାତ୍ରା ସବୁଠାରୁ ବିପଜ୍ଜନକ ଅଟେ। ସାମାନ୍ୟ ଭୁଲ୍‌ ମଧ୍ୟ ଏକ ବଡ଼ ଦୁର୍ଘଟଣାକୁ ନିମନ୍ତ୍ରଣ କରିଥାଏ। ଗାଡ଼ିମୋଟର, ଦୁର୍ଘଟଣା କିମ୍ବା ରେଳ ଦୁର୍ଘଟଣା ଘଟିଥିଲେ ବଞ୍ଚିବାର ସମ୍ଭାବନା ରହିଥାଏ। କିନ୍ତୁ ବିମାନ ଦୁର୍ଘଟଣାରେ ବଞ୍ଚିବା କଷ୍ଟକର।

୩ ଦିନ ତଳେ ଜେଟ୍‌-୨ ବିମାନ ବ୍ରିଟେନର ବର୍ମିଂହାମ ବିମାନବନ୍ଦରରୁ ତୁର୍କୀର ଆଣ୍ଟାଲିଆ ବିମାନବନ୍ଦରକୁ ଯାତ୍ରା କରୁଥିଲା। ଏହି ସମୟରେ ବିମାନଟି ୩୦ ହଜାର ଫୁଟ ଉଚ୍ଚରେ ଉଡୁଥିବା ବେଳେ ହଠାତ୍‌ ବେହୋସ ହୋଇପଡ଼ିଥିଲେ ପାଇଲଟ। ଏହା ଜାଣି ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପାଇଲଟ୍‌ଙ୍କୁ କକ୍‌ପିଟ୍‌ ଭିତରେ ଚେତାଶୂନ୍ୟ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଫଳରେ ବିମାନଟି ଜରୁରିକାଳୀନ ପରିସ୍ଥିତିରେ ଗ୍ରୀସ୍‌ରେ ଅବତରଣ କରିଥିଲା। ବିମାନ ସେବା ଏହି ସୂଚନା ଦେବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। କିନ୍ତୁ ପରେ ପାଇଲଟ ସେମାନଙ୍କୁ ବୁଝାଇବା ପରେ ଯାତ୍ରୀମାନେ ଶାନ୍ତ ପଡ଼ିଥିଲେ।

ଏହି ବିମାନର ଜଣେ ଯାତ୍ରୀ କହିଛନ୍ତି, ବିମାନ ଉଡ଼ାଣ ପୂର୍ବରୁ ମଧ୍ୟ ସେ ଭଲ ଅନୁଭବ କରୁ ନ ଥିଲେ। ଏହି ବିମାନର ଅଧିକାଂଶ ଲୋକ ତୁର୍କୀରେ ଛୁଟି କାଟିବାକୁ ଯାଉଥିଲେ। ବିମାନଟି ୮ ଘଣ୍ଟା ବିଳମ୍ବରେ ଅବତରଣ କରିଛି। ଏହି କାରଣରୁ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ୧୫ ୟୁରୋ ଭାଉଚର ଏବଂ ମାଗଣା ଖାଦ୍ୟ ଦିଆଯାଇଥିଲା। ଗ୍ରୀସରେ ବିମାନ ଜରୁରୀ ଅବତରଣ କରି ନ ଥିଲେ ଏକ ବଡ ଦୁର୍ଘଟଣା ଘଟିଥାନ୍ତା।

ଅଗଷ୍ଟ ୨୩ରେ ଏହି ଘଟଣା ଘଟିଥିଲା। ଯାତ୍ରୀମାନଙ୍କୁ ବିମାନରେ କିଛି ଅସୁବିଧା ଥିବା କୁହାଯାଇଥିଲା। କିଛି ଲୋକ ଦେଖିଥିଲେ, ଅନେକ କ୍ରୁ ସଦସ୍ୟ କକ୍‌ପିଟ୍‌ ଛାଡ଼ିଛନ୍ତି। ଏହା ପରେ ତାଙ୍କୁ କୁହାଯାଇଥିଲା ଡାକ୍ତରୀ ଜରୁରିକାଳୀନ ପରିସ୍ଥିତି ଯୋଗୁ ବିମାନଟି ଗ୍ରୀସରେ ଅବତରଣ କରିବାକୁ ଯାଉଛି। ସେପର୍ଯ୍ୟନ୍ତ ଅନେକ ଲୋକ ଭାବିଥିଲେ ଯେ ହୁଏତ କିଛି ଯାତ୍ରୀ କିମ୍ବା ଏୟାର ହୋଷ୍ଟେସଙ୍କ ସହିତ କିଛି ଘଟିଥାଇପାରେ। କିନ୍ତୁ ଯେତେବେଳେ ଏହା ଜାଣିବାକୁ ପାଇଲା ବିମାନ ଉଡ଼ାଇଥିବା ପାଇଲଟ ଚେତାଶୂନ୍ୟ ଥିଲେ, ସେତେବେଳେ ସମସ୍ତଙ୍କ ହୋସ୍‌ ଉଡ଼ିଯାଇଥିଲା। ଏହା ପରେ ବିମାନଟି ନୂଆ କ୍ରୁଙ୍କ ସହିତ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା।

Share